ବନ୍ଧୁକ ମୁନରେ ନବବଧୂ ଅପହରଣ ଘଟଣା

  • ସମ୍ବଲପୁରରୁ ଧରାପଡ଼ିଲେ ପ୍ରେମିକ ସଞ୍ଜୀବ ଓ ନବବଧୂ ରଶ୍ମୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ), ସୋନପୁର ଜିଲ୍ଲା ତରଭାଠାରେ ଘଟିଥିବା ଘଟଣା ବରକୁ ବନ୍ଧୁକ ଦେଖାଇ ନବବିବାହିତା ପ୍ରେମିକାକୁ ଅଧବାଟରୁ ଅପହରଣ କରିନେବା ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସକୁ ସଫଳତା ମିଳିଛି । ତରଭା ଥାନା ପୁଲିସ ସମ୍ବଲପୁରରୁ ଅଭିଯୁକ୍ତ ପ୍ରେମିକ ଓ ନବବିବାହିତା ଯୁବତୀଙ୍କୁ ଠାବ କରିବାରେ ସକ୍ଷମ ହୋଇଛି । ନବବଧୂକୁ ଧରି ଫେରାର ମାରିବା ପରେ ସେମାନେ ସମ୍ବଲପୁର ଅଇଁଠାପାଲି ଥାନା ବୁଢ଼ାରଜା ପ୍ରଫେସର କଲୋନୀରେ ଜଣେ ସମ୍ପର୍କୀୟ ଭାଇଙ୍କ ଘରେ ଲୁଚିଥିଲେ । ସୋନପୁର ପୁଲିସ ସମ୍ବଲପୁର ପୁଲିସକୁ ଯୋଗାଯୋଗ କରିବା ପରେ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ଠାବ କରାଯାଇଥିଲା । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ଅଇଁଠାପାଲି ପୁଲିସ ସହାୟତାରେ ତରଭା ପୁଲିସ ସେମାନଙ୍କୁ ଉକ୍ତ ଘରୁ ଉଠାଇ ଆଣିଥିଲା । ସେମାନଙ୍କଠାରୁ ପୁଲିସ ଗୋଟିଏ ସୁନାହାର, ଗୋଟିଏ ସୁନାଚେନ, ହଳେ କାନରିଙ୍ଗ, ହଳେ ରୁପା ଗୋଡ଼ମୁଦି, ଗୋଟିଏ ମୋବାଇଲ ଜବତ କରିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନାର ରଶ୍ମି ପୁଟେଲ ଓ ତାଙ୍କ ପ୍ରେମିକ ସଞ୍ଜୀବ ସାହୁ (୩୬)ଙ୍କୁ ତରଭା ପୁଲିସ ଅଧିକ ପଚରାଉଚୁରା ଜାରି ରଖିଛି । ରଶ୍ମି ଓ ସଞ୍ଜୀବ ପରସ୍ପରକୁ ପ୍ରେମ କରୁଥିଲେ କିନ୍ତୁ ଘରଲୋକ ସେମାନଙ୍କ ସଂପର୍କରେ ରାଜି ନହେବାରୁ ଅପହରଣର ନାଟକ ରଚିଥିବା ସଞ୍ଜୀବ କହିଛି । ସୂଚନାଯୋଗ୍ୟ, ଗତ ୨୨ତାରିଖ ବଲାଙ୍ଗିର ଜିଲ୍ଲାର କାମାକ୍ଷୀନଗରରୁ ହରିବନ୍ଧୁ ପୁଟେଲଙ୍କ କଣ୍ଟାମାଳ ଥାନା ବନ୍ଧପାଲିରେ ବିବାହ ସମ୍ପନ୍ନ ହେବା ପରେ ନବବଧୂଙ୍କୁ ସାଙ୍ଗରେ ଧରି ଘରକୁ ଫେରୁଥିଲେ । ଏହି ସମୟରେ ବାଟରେ ତରଭା ବଡ଼ବନ୍ଧ ନିକଟରେ ଗୋଟିଏ କାର୍‌ରେ ଚାଳକ ଓ ତିନିଜଣ ଯୁବକ ପହଞ୍ଚି ସିନେମା ଷ୍ଟାଇଲରେ ବନ୍ଧୁକ ଦେଖାଇ ଧମକଚମକ ଦେଇ ନବବିବାହିତା ରଶ୍ମିଙ୍କୁ ଅପହରଣ କରି ନେଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଏ ନେଇ ତରଭା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସ୍‌ପି ନାରାୟଣ ନାଏକ ଏହି ସୂଚନା ଦେଇଛନ୍ତି । ଏସ୍‌ପିଙ୍କ ସୂଚନାନୁଯାୟୀ, ରବିବାର ଭୋରରେ ଉକ୍ତ ଘଟଣା ଘଟିବା ପରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରି ଦେଇଥିଲା । ଏସପି ଶ୍ରୀ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ଅନିତା କିଡୋଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା । ଟିମ୍‌ରେ ତରଭା ଥାନାର ଏସ୍‌ଆଇ ପ୍ରସଂଜିତ୍ ବେହେରା, କନେଷ୍ଟବଳ କୈଳାସ ଭୋଇ, ଧନପତି ମୁଣ୍ଡା ଓ ସୀମା ବିଶ୍ୱାଳ ସାମିଲ ହୋଇଥିଲେ । ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ଓ ରଶ୍ମୀକୁ ବୁଧବାର କୋର୍ଟଚାଲାଣ କରାଯିବ । ଅପରାଧୀ ପ୍ରବୃତ୍ତିର ସଞ୍ଜୀବ ନାମରେ କଣ୍ଟାମାଲ ଥାନାରେ ପୂର୍ବରୁ ୩ଟି ମାମଲା ରହିଥିବା ଏସପି ସୂଚନା ଦେଇଛନ୍ତି । ଏହି ଘଟଣାରେ ସଂପୃକ୍ତ ତା’ର ଅନ୍ୟ ସହଯୋଗୀ ମାନଙ୍କୁ ଖୁବ୍‌ଶୀଘ୍ର ଧରାହେବ ବୋଲି ଏସ୍‌ପି ଶ୍ରୀ ନାଏକ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସହିତ ଡିଏସ୍‌ପି ସୁନିତା ପ୍ରଧାନ ଓ ଆଇଆଇସି ଅନିତା କିଡୋ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.