om academy

ଅଜା ଥିଲେ ମୁଖ୍ୟମନ୍ତ୍ରୀ : ଏବେ ନାତି ହେଲେ ଉପମୁଖ୍ୟମନ୍ତ୍ରୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜା ଥିଲେ ମୁଖ୍ୟମନ୍ତ୍ରୀ, ଏବେ ନାତି ହେଲେ ଉପମୁଖ୍ୟମନ୍ତ୍ରୀ । ସ୍ୱର୍ଗତ୍‌ ପାଟଣା ମହାରାଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି ହେଉଛନ୍ତି ପାଟଣା ମହାରାଜା କନକବର୍ଦ୍ଧନ ସିଂହଦେଓ, ଯିଏ ଆଜି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଶପଥ ଗ୍ରହଣ କରିବେ । କନକବର୍ଦ୍ଧନ ୬ ଥର ବିଧାୟକ ହୋଇଛନ୍ତି । ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ସେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଜେଡ଼ି-ବିଜେପି ମେଂଟ ସରକାରରେ ସେ ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଭାବେ ମେଂଟ ସରକାରରେ ସାମିଲ୍‌ ରହିଥିଲେ । ରାଜ୍ୟରେ ବିଜେଡ଼ି-ବିଜେପି ମେଂଟ ଭାଂଗିବା ପରେ ବି ପାଟଣାଗଡ଼କୁ ବିଜେପିର ଗଡ଼ ଭାବେ ସହି ସଲାମତ୍‌ ରଖିଥିଲେ କନକବର୍ଦ୍ଧନ । ୨୦୧୯ରେ ସେ ପ୍ରଥମ ଥର ପରାଜିତ ହୋଇଥିଲେ ବିଜେଡ଼ି ବିଧାୟକ ସରୋଜ ମେହେରଙ୍କ ଠାରୁ । ଚଳିତ ନିର୍ବାଚନରେ ସେ ପୁଣି ବିଜୟୀ ହୋଇ ନିଜ ଗଡ଼ ଫେରି ପାଇଛନ୍ତି । କନକବର୍ଦ୍ଧନଙ୍କ ଧର୍ମପତ୍ନୀ ହେଉଛନ୍ତି ସାଂସଦ ସଂଗୀତା କୁମାରୀ ସିଂହଦେଓ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ୍‌ କରିଛନ୍ତି କନକବର୍ଦ୍ଧନ । ଶ୍ରୀ ସିଂହଦେଓ ଭାରତୀୟ ଜନତା ପାର୍ଟିର ଅନେକ ଗୁରୁତ୍ୱପୂର୍ଣ୍ଣ ସାଂଗଠାନିକ ଦାୟିତ୍ୱ ତୁଳାଇଥିବା ବେଳେ ସେ ରାଜ୍ୟ ସଭାପତି ପଦରେ ମଧ୍ୟ ରହିଥିଲେ । ଚଳିତ ନିର୍ବାଚନରେ କନକବର୍ଦ୍ଧନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ି ପ୍ରାର୍ଥୀ ସରୋଜ ମେହେରଙ୍କୁ ୧୩୫୭ ଖଣ୍ଡ ଭୋଟ୍‌ରେ ହରାଇ ବିଜୟୀ ହୋଇଥିଲେ । କନକବର୍ଦ୍ଧନ ଉପମୁଖ୍ୟମନ୍ତ୍ରୀ ହେବା କଥା ପ୍ରଚାର ହେବା ପରେ ପାଟଣାଗଡ଼ ସମତେ ସାରା ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି ।

Leave A Reply

Your email address will not be published.