jayashree

ସ୍ୱେଚ୍ଛାସେବୀ ସଂଗଠନ “ମୁକ୍ତି”ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ସାମାଜିକ ସଂଗଠନ “ମୁକ୍ତି”ର ଶୁଭାରମ୍ଭ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିରର ବରିଷ୍ଠ ଆଇନଜୀବି ତଥା ବିଶିଷ୍ଟ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର ଯୋଗଦେଇଥିଲେ । ସର୍ବ ପ୍ରଥମେ ସମ୍ବିଧାନ ଡ୍ରାଫଟିଂ କମିଟିର ସଦସ୍ୟ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର ଏବଂ ପଶ୍ଚିମାଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ସମାଜରେ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି କରୋନା ପରି ମହାମାରୀ ସମୟରେ ଏଭଳି ସ୍ୱେଚ୍ଛାସେବୀ ସଂଗଠନର ଆବଶ୍ୟକତା ସମସ୍ତେ ଅନୁଭବ କରିଥିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ମୁଖ୍ୟବକ୍ତା ଭାବରେ ଯୋଗଦେଇ ବଲାଙ୍ଗିର ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ସୁରୁଲାଲ ମଟାରୀ କ୍ରାନ୍ତିକାରୀ ଭାବନା ସହ ଲୋକଙ୍କର ସେବା କରିବାକୁ ସଭ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । କେତେକ ନିର୍ଦ୍ଦିଷ୍ଟ କର୍ମ ମଧ୍ୟରେ ନିଜକୁ ସୀମିତ ନରଖି ବଲାଙ୍ଗିରର ସର୍ବାଙ୍ଗୀନ ବିକାଶ ପାଇଁ ଲଢେଇ କରିବାକୁ ଶ୍ରୀ ମଟାରୀ ପରାମର୍ଶ ଦେଇଥିଲେ । “ମୁକ୍ତି” ର ସଭାପତି ଯୁବ ସଂଗଠକ ଅଙ୍କିତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ସଭାରେ “ମୁକ୍ତି” ର ସାଧାରଣ ସମ୍ପାଦକ ନୀତିଶ ପଧାନ ମଂଚାସୀନ ଥିଲେ । ଶେଷରେ “ମୁକ୍ତି”ର ଲୋଗୋକୁ ସମସ୍ତ ଅତିଥି ଉନ୍ମୋଚନ କରିଥିଲେ । ଏହି ସଭାରେ “ମୁକ୍ତି”ର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

Leave A Reply

Your email address will not be published.