
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମିଲର ମାନେ ୧ କୋଟି ଟଙ୍କା ଚାନ୍ଦା ଦେଇଥିବା ଅଭିଯୋଗର ତଦନ୍ତ ରିପୋର୍ଟ କେବେ ଆସିବ : ଆମ୍ ଆଦମୀ ପାର୍ଟି
- ଗତ ଖରିଫରେ ଯେଉଁ ମିଲରମାନେ ଚାଉଳ ସରକାରଙ୍କୁ ଫେରସ୍ତ କରି ନାହାଁନ୍ତି ତାଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ ଦିଆଯାଉ
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସରକାର ଚପେଇ ଦେଇଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ଆଜି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଏହି ବାବଦରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ଗତ ୨୦୨୪ ଡିସେମ୍ବର ୮ ତାରିଖ ସୋହେଲା ଠାରେ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କୃଷକ ସମାବେଶ ତଥା ବୋନସ ରାଶି ବଣ୍ଟନ କାର୍ଯ୍ୟକ୍ରମରେ ୧ କୋଟି ଟଙ୍କାର ଚାନ୍ଦା ମିଲରମାନେ ଦେଇଥିବା ଅଭିଯୋଗର ତଦନ୍ତ ରିପୋର୍ଟ କେବେ ଆସିବ ଓ ଏହି ଟଙ୍କା ରାଶି କିଏ ଗ୍ରହଣ କରିଥିଲା, ତାହା ସାର୍ବଜନିନ କରାଯାଉ ବୋଲି ଆପ୍ ରାଜ୍ୟ ସମ୍ପାଦକ ଭବାନୀ ସାହୁ ଦାବୀ କରିଛନ୍ତି । ସେହିପରି ଗତ ଖରିଫଋତୁରେ ଯେଉଁ ମିଲର ମାନେ ସରକାରଙ୍କଠାରୁ ଧାନ ନେଇ ସମ୍ପୂର୍ଣ୍ଣ ଚାଉଳ ଫେରସ୍ତ କରି ନାହାନ୍ତି ସେମାନଙ୍କୁ ଏହି ରବି ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ ଦିଆଯାଉ ବୋଲି ଶ୍ରୀ ସାହୁ କହିଛନ୍ତି । ସେହିପରି ଧାନ କିଣାରେ କଟନି ଛଟନି ବନ୍ଦ କରାଯାଉ ଓ ରବିଋତୁରେ ଚାଷ ହୋଇଥିବା ସମସ୍ତ ଜମିର ଧାନ ବିକ୍ରି ପାଇଁ ଟୋକନ ଦିଆଯାଉ ବୋଲି ନୂଆ ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ ଦାବୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ସ୍ୱରୂପ ଭୋଇ, ମହିଳା ନେତ୍ରୀ ମାରିୟମ ବାର୍ଲା, ଜୟ କ୍ରିଷ୍ଣା ଛୁରିଆ, ସୂର୍ଯ୍ୟ ଭୋଇ, ଏମ୍ଏ ସାଲାଉଦ୍ଦିନ, ଦେବଦତ୍ତ ବେହେରା, ଗୀତାଞ୍ଜଳି ମଟାରୀ, ତନୟା ମହାନନ୍ଦ, ଅଭିଲାଶ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।