oom

ପୁଅ ଥାଇ ବି ଛଅ ଝିଅ ଦେଲେ ମୁଖାଗ୍ନି

jsmm

ସମ୍ବଲପୁର : ହୀରାକୁଦର ହିଣ୍ଡାଲକୋ ଅଫିସର କଲୋନୀରେ ଦୀର୍ଘ ବର୍ଷ ଧରି ରହିଥିବା ଜଣେ ଅମାୟିକ, ସରଳ ଓ ଧର୍ମ ପରାୟଣା ବୃଦ୍ଧା ଶ୍ରୀମତି ସାହୁଙ୍କର ୮୦ ବର୍ଷ ବୟସରେ ବୁଧବାର ଗୋଧୂଳି ବେଳାରେ ପରଲୋକ ହୋଇଯାଇଛି । ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାର୍ଯ୍ୟରତ ସ୍ୱାମୀ ଭୁବନ ସାହୁଙ୍କ ୨୦୦୫ ମସିହାରେ ଦେହାନ୍ତ ପରେ ଦୀର୍ଘ ୧୭ବର୍ଷ ଧରି ଝିଅମାନଙ୍କୁ ଘରେ ପ୍ରତିପାଳିତ କରି ମା’ ଶ୍ରୀମତି ଦେବୀ ସମ୍ବଲପୁର ଗୁଜୁରାତି କଲୋନିର ତିନି ନଂ ଝିଅ ଉର୍ମିଳା, ଜ୍ବାଇଁ ଆଇନଜୀବୀ ପ୍ରହଲ୍ଲାଦ ସାହୁଙ୍କ ଘରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ବିଗତ ସାତଦିନ ଧରି ସେ ଶଯ୍ୟାଶାୟୀ ଥାଇ ଘରେ ଚିକିତ୍ସାଧିନ ଥିଲେ । ତାଙ୍କର ଶେଷ ସମୟରେ ଛଅ ଝିଅ ସୁଶୀଳା, ନିର୍ମଳା, ଉର୍ମିଳା, ଶର୍ମିଳା, ପ୍ରମିଳା ଓ ସୁନୀଳା ସହ ଜ୍ବାଇଁ ଅଲେଖ ଦାଶ, ପ୍ରହଲ୍ଲାଦ ସାହୁ, ମାଧବାନନ୍ଦ ବେହୁରା, ଦେବେଶ ଧଳ ଓ ବେଣୁଧର ପ୍ରଧାନ ଏବଂ ନାତିନାତୁଣୀମାନେ ଉପସ୍ଥିତ ଥିଲେ । ଆଜି ସକାଳେ ମହାନଦୀର ରାଜଘାଟ ଶ୍ମଶାନରେ ତାଙ୍କରି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଜଘାଟ ଶ୍ମଶାନ ଘାଟରେ ଅନୁଷ୍ଠିତ ଅନ୍ତେଷ୍ଟି କ୍ରିୟା ପର୍ବରେ ସମ୍ବଲପୁର ଚଷା ସମାଜର ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସହ ବଂଧୁ ସ୍ବଜନ ଓ କୁଟୁମ୍ବ ପରିଜନ ସ୍ବର୍ଗୀୟା ଶ୍ରୀମତି ଦେବୀଙ୍କୁ ଅଶ୍ରୁଳ ବିଦାୟ ଦେଇ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ବିଡମ୍ବନାର ବିଷୟ ଏହି ଯେ, ସ୍ବର୍ଗୀୟା ଶ୍ରୀମତି ସାହୁଙ୍କର ଏକମାତ୍ର ଉଚ୍ଚ ଶିକ୍ଷିତ ଓ ନାଲକୋ ପରି ନବରତ୍ନ କମ୍ପାନୀରେ ଇଞିନିୟର ଭାବେ ଚାକିରି କରି ଅବସର ନେଇଥିବା ଜଣେ ଧନିକ ପୁଅ ଥିଲେ ବି ଅନେକ ବର୍ଷରୁ ନିଜଠୁ ମା’କୁ ଦୂରେଇ ରଖିଥିଲେ । ଆଜି ଛଅ ଝିଅ ମୃତ ସବାରିକୁ ଉଠାଇ ଶବ ବୋହିବା ସହ ଶ୍ମଶାନରେ ମୁଖାଗ୍ନି ଦେଇଛନ୍ତି । ଖାଲି ସେତିକି ନୁହେଁ, ଆମରି ସମାଜ ବ୍ୟବସ୍ଥା ଓ କୁଳ ରୀତିମତେ ସମସ୍ତ ଛଅ ଭଉଣୀ ଏକାଠି ମା’ର ଶୁଦ୍ଧିକ୍ରିୟା ମଧ୍ୟ କରିବାକୁ ସଂକଳ୍ପ ନେଇଛନ୍ତି । ଏହି ଘଟଣାଟି ଆଜିର ଦିନରେ ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଝିଅମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ସାମାଜିକ ଦାୟିତ୍ବବୋଧକୁ ସବୁ ସ୍ତରର ଲୋକେ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.