
ବଲାଙ୍ଗିର : ଆଗଲପୁର ମିନି ଷ୍ଟାଡିୟମଠାରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ‘ବିକାଶ ମେଳା’ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ । ଏଥିରେ ସେ ଲୋକଙ୍କ ସରକାରର ଐତିହାସିକ ଶାସନ ବ୍ୟବସ୍ଥାର ସଫଳତାକୁ ‘ବିକାଶ ମେଳା’ ମାଧ୍ୟମରେ ଜନତାଙ୍କୁ ବିଗତ ଏକ ବର୍ଷର ଜନହିତକର କାର୍ଯ୍ୟର ହିସାବ ଦେଇଥିଲେ । ସେ ଆହୁରି କହିଛନ୍ତି ଯେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ସୁଶାସନର ୧୧ ବର୍ଷ ଏବଂ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ଵରେ ସୁଶାସନର ୧ ବର୍ଷ ପୂରଣ ହୋଇଛି । ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ତଥା ଓଡ଼ିଆ ଅସ୍ମିତାର ବିଜୟର ଏହି ଏକ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି । ଏହି ସମୟ ଅବଧିରେ ଡବଲ ଇଞ୍ଜିନ ସରକାର ରାଜ୍ୟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଭିତ୍ତିଭୂମି, ନିଯୁକ୍ତି, ସହରୀକରଣ ଆଦି କ୍ଷେତ୍ରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରି ଐତିହାସିକ ସଫଳତା ହାସଲ କରିବା ସହିତ ଯୁବବର୍ଗଙ୍କୁ ସଶକ୍ତ, ନାରୀ ସଶକ୍ତିକରଣ, କୃଷକ ମାନଙ୍କୁ ସମୃଦ୍ଧ, ଦଳିତ, ବଞ୍ଚିତ ତଥା ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି । ଏ ସରକାର ହେଉଛି ଲୋକଙ୍କ ସରକାର । ସରକାର ଗଠନର ଏକ ବର୍ଷ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆମେ ୨୧ ଟି ପ୍ରତିଶ୍ରୁତିରୁ ୧୧ ଟି ପ୍ରତିଶ୍ରୁତି ପୂରଣ କରି ସାରିଛୁ । ଆପଣଙ୍କ ଆଶୀର୍ବାଦ ଓ ସମର୍ଥନରେ ଓଡ଼ିଶା ଆଜି ବାସ୍ତବିକ ବିକାଶ ଦିଗରେ ଗତି କରୁଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଆମ ସରକାର ସଂକଳ୍ପବଦ୍ଧ ଅଟନ୍ତି । ଏହାର ସଫଳ ରୂପାୟନ ପାଇଁ ଆପଣ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଆଗଲପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ତଥା ଅନେକ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ‘ଏକ ପେଡ ମା କେ ନାମ୍’ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ ।