ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ବରତୁଣ୍ଡା ଗ୍ରାମର ଜଲିଲ୍ ଦାଉଦ୍ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତିରେ ମଟର ସାଇକେଲରେ ଜଲିଲ ମଣ୍ଡୋସିଲ୍ରୁ ନିଜ ଝିଅର ଜନ୍ମଦିନ ପାଳନ ପାଇଁ ସାମଗ୍ରୀ କିଣି ଫେରୁଥିବା ବେଳେ ଜାମସେଠ ନିକଟରେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ । ଘଟଣା ସ୍ଥଳରେ ଜଲିଲଙ୍କ ଅବସ୍ଥା ସାଙ୍ଘାତିକ ଥିବାରୁ ସାଙ୍ଗେ ସାଙ୍ଗେ ନୂଆପଡ଼ା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ସ୍ଥିତି ସାଙ୍ଘାତିକ ହେବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ନିଆଯିବା ରାସ୍ତାରେ ବରଗଡ ନିକଟରେ ମୃତ୍ୟୁ ହୋଇଯାଇଛି । ଏ ଖବର ପାଇବା ମାତ୍ରେ ବରତୁଣ୍ଡା ଗ୍ରାମରେ ଶୋକାକୁଳ ପରିବେଶ ଦେଖା ଦେଇଥିଲା । ବରଗଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ଆଜି ଅପରାହ୍ନରେ ଜଲିଲଙ୍କ ଶବ ବରତୁଣ୍ଡା ପହଞ୍ଚିଥିଲା । ଶବ ପହଞ୍ଚିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ଦେଖା ଦେଇଥିଲା । ଗ୍ରାମର ସମସ୍ତେ ଛୋଟ ଛୋଟ ଛୁଆଠାରୁ ଆରମ୍ଭ କରି ବହୁ ମହିଳା, ପୁରୁଷ, ଯୁବକ ପ୍ରତ୍ୟେକ ପରିବାରର ଲୋକ ରୁଣ୍ଡ ହୋଇ ଶେଷ ଦର୍ଶନ କରିଥିଲେ । ସେ ଜଣେ ମୁସଲମାନ ସମ୍ପ୍ରଦାୟ ହୋଇଥିଲେ ହେଁ ସମସ୍ତଙ୍କ ପାଖରେ ପ୍ରିୟ ଭାଜନ ହୋଇ ଆଦରର ଜଲିଲ ଭାଇ ରୂପେ ପରିଚିତ ଥିଲେ । ସେ ଅନେକ ସମୟରେ ରକ୍ତଦାନ କରି ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ତତ୍ପରତା ପ୍ରକାଶ କରି ଅନେକ ଥର ରକ୍ତଦାନ କରିଥିଲେ । ସମସ୍ତଙ୍କ ପ୍ରିୟ ଭାଜନ ହୋଇ ସମସ୍ତଙ୍କୁ ସମ୍ମାନ ମଧ୍ୟ ଜଣାଇ ଆଦର ପାଉଥିଲେ । ମୁଖ୍ୟତଃ ଗ୍ରାମର ଯୁବକଙ୍କ ସହ ମିଶି ଜନହିତକର କାର୍ଯ୍ୟରେ ଭାଗୀଦାର ହୋଇ ସଂପୂର୍ଣ୍ଣ ସହଯୋଗର ହାତ ବଢ଼ାଇବାକୁ ଚେଷ୍ଟାବାନ ଥିଲେ । ସେ ବରତୁଣ୍ଡା ଗ୍ରାମ ପଞ୍ଚାୟତର ଯୁବ ବିଜେଡ଼ି ସଭାପତି ଥିଲେ । ଆଜି ଜଲିଲଙ୍କ ଶବ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୂର୍ବତନ ଜିଲ୍ଲା ପରିଷଦ ବିଶ୍ଵନାଥ ବାଗ, ପୂର୍ବତନ ବ୍ଲକ ଚେୟାରମେନ ଅଲତାପ ମହମ୍ମଦ, ପ୍ରକୃତି ବନ୍ଧୁ ଧିରେନ୍ ମହାନ୍ତି, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟା, ସମବାୟ ସମିତି ସଭାପତି ରାଜେନ୍ଦ୍ର ପ୍ରଧାନ, ପାଇକମାଲ ବ୍ଲକ୍ ଚେୟାରମେନଙ୍କ ପ୍ରତିନିଧି ତଥା ବିଜେଡ଼ି ବ୍ଲକ ସଭାପତି ଗୌତମ ସିଂ, ତ୍ରିଲୋଚନ ହେର୍ଣ୍ଣା, ବେଣୁଧର ସାହୁ, ରୁକ୍ମଣ ଧରୁଆ, ପ୍ରଶାନ୍ତ ବାଗ ପ୍ରମୁଖ ଗଭୀର ଶ୍ରଦ୍ଧାଂଜଳି ଜଣାଇଥିଲେ । ସନ୍ଧ୍ୟାରେ ତାଙ୍କ ଅନ୍ତିମ ସଂତ୍କାର ଜାତି ରୀତିନୀତିରେ ସଂପୂର୍ଣ୍ଣ ହୋଇଥିଲା ।
Next Post