ପୁଅର ମୃତ୍ୟୁ ଖବର ମା’ ପାଇଁ ମୃତ୍ୟୁ ଆଣିଦେଲା

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ନିକଟ କଇଠପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ମୃତ୍ୟୁ ଖବର ପାଇବା ପରେ ମା’ର ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ, ଗାଁର ଶାନ୍ତନୁ ଗୌଡ଼ ଗତକାଲି ସନ୍ଧ୍ୟାରେ ବିଷପାନ କରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ପୁଅର ମୃତ୍ୟୁ ଖବର ପାଇ ମା’ ବୃନ୍ଦାବତୀଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଶାନ୍ତନୁଙ୍କ ମା’ ଦୀର୍ଘବର୍ଷ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କୁ ପୁଅ ହିଁ ସେବା କରି ଆସୁଥିଲେ । ଘରର ଆର୍ଥିକ ଓ ପାରିବାରିକ ସମସ୍ୟାରେ ବ୍ୟତିବ୍ୟସ୍ତ ହୋଇ ଶେଷରେ ବିଷପାନ କରିଥିବା ନିଜ ଫେସବୁକ ପେଜରେ ପୋଷ୍ଟ କରିଥିଲେ ଶାନ୍ତନୁ । ଏହାଦେଖି ସ୍ଥାନୀୟ ଯୁବକମାନେ ଖୋଜାଖୋଜି କରି ଶେଷରେ ଠାବ କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ନିକଟରୁ ଏକ ଚିଠି ମିଳିଛି । ଯେଉଁଥିରେ ତାଙ୍କ ମା’ଙ୍କ ଜମାଖାତାରେ ଥିବା କିଛି ଟଙ୍କାକୁ ବାହାର କରି ଧାରଉଧାର ଶୁଝିବାକୁ ଉଲ୍ଲେଖ ରହିଛି । ବଳକା ହେଲେ ସେଥିରେ ଶୁଦ୍ଧି କ୍ରିୟା କରାଯିବ ବୋଲି ପୁଅ ଶାନ୍ତନୁ ଲେଖିଛନ୍ତି । ଅନ୍ୟପକ୍ଷେ ହଠାତ୍‌ ପୁଅର ମୃତ୍ୟୁଖବର ଶୁଣି ରୋଗୀଣା ମା’ଙ୍କ ବିୟୋଗ ଘଟିଥିବା ଜଣାପଡ଼ିଛି ।

Leave A Reply

Your email address will not be published.