ନିଶାସକ୍ତ ଜ୍ୱାଇଁର ଉନ୍ମତ କାଣ୍ଡ : ଜ୍ୱାଇଁର ଟାଙ୍ଗିଆ ଛୋଟରେ ବୃଦ୍ଧା ଶାଶୁଙ୍କ ମୃତ୍ୟୁ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସିର୍ତ୍ତିଗୁଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ନିଶାସକ୍ତ ଜ୍ୱାଇଁ ଉନ୍ମୁକ୍ତ କାଣ୍ଡ ଘଟାଇଛି । ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରି ବୃଦ୍ଧା ଶାଶୁଙ୍କୁ ଲହୁଲୁହାଣ କରିବା ଫଳରେ ବୃଦ୍ଧା ଶାଶୁଙ୍କ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ ବୃଦ୍ଧାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୂଚନା ପ୍ରକାରେ ସିର୍ତ୍ତିଗୁଡ଼ା ଗ୍ରାମର ପେଟି ମଲିକଙ୍କ ଜ୍ୱାଇଁ ସୁରତ ପ୍ରଧାନ ସବୁବେଳେ ନିଶାସକ୍ତ ହୋଇ ପରିବାରରେ ଝଗଡ଼ା କରେ । ଶନିବାର ସକାଳେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ସ୍ତ୍ରୀ ସହ ବଚସାରୁ ସୁରତ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଏକ ଟାଙ୍ଗିଆରେ ଆକ୍ରମଣ କରିବା ବେଳେ ସୁରତଙ୍କ ବୃଦ୍ଧା ଶାଶୁ ପେଟି ମଲିକ ଛଡ଼ାଇବାକୁ ଯାଇଥିବା ବେଳେ ସୁରତ ବୃଦ୍ଧା ଶାଶୁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତରିତ କରିଥିଲେ । ସେପଟେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପରିବାର ପକ୍ଷରୁ ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡ଼ିଛି ।

Leave A Reply

Your email address will not be published.