ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁରେ ଜଣେ ଦାଦନ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ଘଟିଛି । ସରକାର ଦାଦନ ସମସ୍ୟାକୁ ରୋକିବାକୁ ମନରେଗା ସମେତ ବିଭିନ୍ନ ଯୋଜନାମାନ କରିଛନ୍ତି ହେଲେ ସବୁଯାକ ଫେଲମାରିଛି । ଦିନକୁ ଦିନ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସୂଚନା ମତେ ଡୁଙ୍ଗୁରିପାଲି ଗ୍ରାମର ଘାସି ବିଭାରଙ୍କ ପୁଅ ସୁରେନ୍ଦ୍ର ବିଭାର (୨୪ବର୍ଷ) ତାମିଲନାଡୁର ଇରୋଡ଼ ସ୍ଥିତ ଗାୟତ୍ରୀ ସ୍ପିନିଙ୍ଗ ମିଲକୁ ୪ ବର୍ଷ ତଳେ ଅଧିକ ରୋଜଗାର ଆଶାରେ କାମ କରିବାକୁ ଯାଇଥିଲେ । ୨ ଦିନ ତଳେ ସେ କାର୍ଯ୍ୟରତ ଥିବା ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ସହକର୍ମୀମାନେ ତୁରନ୍ତ ସେଠାକାର ଡାକ୍ତରଖାନାକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାପରେ କମ୍ପାନୀ ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ସୁରେନ୍ଦ୍ରଙ୍କ ମୃତ ଦେହକୁ ତାଙ୍କ ଗାଁ ଡୁଙ୍ଗୁରିପାଲିକୁ ପଠାଇଥିଲେ । ଘରେ ଶବ ପହଂଚିବା ଖବର ପାଇ ସ୍ଥାନୀୟ ସରପଞ୍ଚ ଡିଗ୍ରୀ ମେହେର ତାଙ୍କ ଘରେ ପହଂଚି ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ ଓ ହରିଶ୍ଚନ୍ଦ୍ର ଯୋଜନାର ୩୦୦୦ ଟଙ୍କା ଶବ ସତ୍କାର ପାଇଁ ସୁରେନ୍ଦ୍ରଙ୍କ ବାପା ଘାସି ବିଭାରଙ୍କୁ ଦେଇଥିଲେ ।