ବୁର୍ଲା ମହାନଦୀ ପୋଲ ତଳୁ ମିଳିଥିଲା ଅଜଣା ଯୁବତୀଙ୍କ ମୃତଦେହ : ମିଳିଳା ମୃତକଙ୍କ ପରିଚୟ

ସମ୍ବଲପୁର : ସମ୍ବଲପୁର ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ମୃତଦେହ ମିଳିଥିବା ଯୁବତୀଙ୍କ ପରିଚୟ ମିଳିଛି । ମୃତ ଯୁବତୀ ଜଣଙ୍କ ସୋନପୁର ଡୁଙ୍ଗୁରୀପାଲୀ ଗଣ୍ଡପାଲୀ ଗାଁର ପିଙ୍କି ସାହୁ ବୋଲି ଜଣିବାକୁ ମିଳିଛି । ପରିବାର ଲୋକ ବୁର୍ଲା ହସ୍ପିଟାଲକୁ ଆସି ଝିଅକୁ ଚିହ୍ନଟ କରିଛନ୍ତି ।
ସୂଚନାଅନୁସାରେ, ଗତ ୩ ତାରିଖରୁ ସୋନପୁର ଡୁଙ୍ଗୁରୀପାଲୀ ଗଣ୍ଡପାଲୀ ଗାଁର ଶରତ ସାହୁଙ୍କ ଝିଅ ପିଙ୍କି ସାହୁ ନିଖୋଜ ଥିଲେ । ଶରତ ସାହୁଙ୍କ ଚାରି କନ୍ୟା ସନ୍ତାନ ମଧ୍ୟରୁ ପିଙ୍କି ହେଉଛନ୍ତି ତୃତୀୟ ସନ୍ତାନ । ପରିବାରଲୋକଙ୍କ କହିବା ଅନୁସାରେ ପିଙ୍କି ୩ ତାରିଖ ଦିନ ଘରୁ ସାଇକେଲ ଖଣ୍ଡିଏ ଧରି ବାହାରିଥିଲେ । ଘରୁ ବାହାରିବା ବେଳେ କାହା ସହ କିଛି ଝଗଡା ହୋଇନଥିବା ପରିବାରଲୋକ ସ୍ପଷ୍ଟ କରିଛନ୍ତି । ସେଦିନ ଘରୁ ବାହାରିଥିଲେ ମଧ୍ୟ ପିଙ୍କି ଆଉ ଘରକୁ ଫେରିନଥିଲେ । ତେବେ ପରିବାରଲୋକ ଡୁଙ୍ଗୁରୀପାଲୀ ଥାନାରେ ଝିଅ ନିଖୋଜ ନେଇ ଏତଲା ଦେଇଥିଲେ । ଗତ ୩ ତାରିଖରେ ସନ୍ଧ୍ୟାରେ ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତାଙ୍କ ପରିବାରଲୋକଙ୍କୁ ୪ତାରିଖରେ ଫୋନ୍‌ ଯାଇଥିଲା । ସେମାନେ ତୁରନ୍ତ ଡୁଙ୍ଗୁରୀପାଲୀ ଥାନାରେ ପହଞ୍ଚି ଫଟୋ ଦେଖି ମୃତ ଯୁବତୀ ଜଣଙ୍କ ତାଙ୍କ ଝିଅ ବୋଲି ଚିହ୍ନଟ କରିଥିଲେ । ମଙ୍ଗଳବାର ବୁର୍ଲାରେ ପହଞ୍ଚି ପରିବାରଲୋକ ଝିଅର ମୃତଦେହ ଚିହ୍ନଟ କରିଛନ୍ତି ।
ସେପଟେ ପୋଲ ତଳୁ ମିଳିଥିବା ମୋବାଇଲ୍‌ ଫୋନର ସିମ୍‌ ନମିଳିବା ଘଟଣା ହତ୍ୟା ଆଡକୁ ସୂଚିତ କରୁଛି । ଯୁବତୀଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି ।

Leave A Reply

Your email address will not be published.