ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଝଲିଆଲିଟି ଗ୍ରାମରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଲାଠୋର ପୁଲିସ ଉଦ୍ଧାର କରିଛି । ଝଲିଆଲିଟି ଗ୍ରାମର ଫଗନୁ ମାଝୀଙ୍କ ସ୍ତ୍ରୀ କଳ୍ପନା ମାଝୀ (୨୭) ବେକରେ ଫାସ ଦେଇ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ ରବିବାର ରାତି ୩ଟା ବେଳେ ସ୍ୱାମୀ ଫଗନୁ ମାଝୀ ସ୍ତ୍ରୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ସ୍ୱାମୀ ଫଗନୁ ମାଝୀଙ୍କ କହିବା ଅନୁଯାୟୀ ସେ ଗୋଟିଏ ଟେଣ୍ଟ ହାଉସରେ ଶ୍ରମିକ ଭାବେ କାମ କରନ୍ତି । ଘରେ ତାଙ୍କ ମା’, ସ୍ତ୍ରୀ କଳ୍ପନା ଏବଂ ସେ ରହୁଥିଲେ । ବାହାଘର ୬ ବର୍ଷ ବିତିଯାଇ ଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ନଥିଲା । ରବିବାର ଅପରାହ୍ନରେ ଟେଣ୍ଟ କାମ କରିବାକୁ କଣ୍ଟାବାଞ୍ଜି ଯାଇଥିଲେ ଏବଂ ରାତ୍ର ୩ଟା ବେଳେ ନିଜ ଘର ଝଲିଆଲିଟିକୁ ଫେରିଥିଲେ । ରାତିରେ ତାଙ୍କ ସ୍ତ୍ରୀ କବାଟ ନଖୋଲିବାରୁ ଆଖପାଖ ପଡିଶାଙ୍କୁ ଡାକି ଝରକାକୁ ଭାଙ୍ଗି ଖୋଲିଥବା ବେଳେ ନିଜ ସ୍ତ୍ରୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଫଗନୁ ମାଝୀଙ୍କ ମା’ ତାଙ୍କ ସମ୍ବନ୍ଧୀୟ ଲୋକଙ୍କ ଘରକୁ ଯାଇଥିବା ବେଳେ ଘରେ କଳ୍ପନା ମାଝୀ ଏକୁଟିଆ ଥିଲେ । ତେବେ ଘରର ଭିତର ପଟୁ ବନ୍ଦ କରି ବେକରେ ଫାସ ଲଗାଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି । ଘଟଣା ବିଷୟରେ ଲାଠୋର ପୁଲିସ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚି ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ବଲାଙ୍ଗିର ସାଇଣ୍ଟିଫିକ ଦଳ ଶବର ପଞ୍ଚନାମା କରିଥିବା ଜଣାପଡିଛି । ଏନେଇ ଲାଠୋର ଥାନାଧିକାରୀ ଝସକେତନ ଭୋଇଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଘଟଣାର ତଦନ୍ତ ଚାଲିଛି, ପୋଷ୍ଟମାର୍ଟମ ରିପୋର୍ଟ ଆସିଲା ପରେ ସବିଶେଷ ବିବରଣୀ ଜଣାପଡିବ ।
Next Post