ଗଜପତି : ଗଜପତି ଜିଲା ଗୋସାଣି ବ୍ଲକ ଅନ୍ତର୍ଗତ କଣ୍ଟାବାଡ ପଞ୍ଚାୟତର ଆରିବା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଗତକାଲି ରାତିର ଏହି ଘଟଣାରେ ସାରା ଅଂଚଳ ସ୍ତବ୍ଦ ହୋଇଯାଇଛି । ଜଣେ ଯୁବତୀଙ୍କ ଘର ଭିତରେ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଥିବା ବେଳେ ଦୁଇ ପୁଅ-ଝିଅ ପରସ୍ପରର ବେକ କାଟି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ବି ମୃତ ଦେହ ପଡ଼ିଥିବା ସ୍ଥାନରେ ଅସ୍ତ୍ରଶସ୍ତ୍ରର ଚିହ୍ନବର୍ଣ୍ଣ ନଥିବାରୁ ଘଟଣାଟି ସନ୍ଦେହଜନକ ଜଣାପଡିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ପଡିଥିବା କୋଠରୀକୁ ସିଲ୍ କରିଥିବା ଜଣାପଡ଼ିଛି । ସାଇଣ୍ଟିଫିକ ଟିମ୍ ଆସିବା ପରେ ମୃତଦେହକୁ ଜବତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ଆରିବା ଗ୍ରାମର ଏସ.ଡିଲେଶ୍ବରୀଙ୍କ ସହ ସେହି ଗ୍ରାମର ୨୮ ବର୍ଷୀୟ ଟି.ଶ୍ରୀନୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଦୁଇ ଯୁବକ-ଯୁବତୀ ଭିନ୍ନ ଭିନ୍ନ ଜାତିର । ଡିଲେଶ୍ବରୀଙ୍କ ଅନ୍ୟତ୍ର ବିବାହ ସ୍ଥିର ହୋଇଥିଲା । ତେବେ ରବିବାର ରାତି ୮ଟାରେ ଡିଲେଶ୍ବରୀଙ୍କ ଘରର ଶେଷଭାଗ ରୁମରେ ଦୁଇଟି ରକ୍ତାକ୍ତ ମୃତଦେହ ପଡିଥିବା ଦେଖିଥିଲେ ଡିଲେଶ୍ବରୀଙ୍କ ପିତାମାତା । ଏହା ଦେଖି ପରିବାର ଲୋକେ ପଡୋଶୀ ଏବଂ ପୁଲିସକୁ ଖବର କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
Next Post