ରେଳଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ୍‌ କଲୋନୀ ସ୍ଥିତ କଳିଙ୍ଗ ବିହାର ଦେଇ ଯାଇଥିବା ବୀରମିତ୍ରପୁର-ବର୍ଷୁଆଁ ରେଳଧାରଣା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଜିଆରପି ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିଛି । ମୃତ ଯୁବକ ଜଣ ହେଉଛନ୍ତି ଅଖଲେସ ତିୱାରୀ । ସେ କଳିଙ୍ଗ ବିହାର ଆରଡ଼ିଏ କଲୋନୀ କ୍ୱାଟର ନମ୍ବର, ସି୩ଏଲ ୧/୧୫୦ରେ ନିଜ ପରିବାର ସହ ରହୁଥିଲେ । କୌଣସି ଟ୍ରେନ୍‌ ଧକ୍କାରେ ଅଖଲେସଙ୍କ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରିବା ସହ ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁସାରେ ମଙ୍ଗଳବାର ରାତି ପ୍ରାୟ ୭ଟାରେ ଅଖଲେସ ବଜାର ଯାଉଛି କହି ଘରୁ ବାହାରିଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ଲୋକେ ଖୋଜାଖୋଜି କରି ତାଙ୍କର କୌଣସି ଖବର ପାଇନଥିଲେ । ଆଜି ସକାଳେ ଟ୍ରେନ୍‌ ଲାଇନ କଡରେ ତାଙ୍କର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିଥିବା ଜଣାପଡିଛି ।

Leave A Reply

Your email address will not be published.