ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତ ୱାର୍ଡ ନମ୍ବର ୨, ପାଇତାରି ଗ୍ରାମ ବାସିନ୍ଦା ସ୍ବର୍ଗତ ଦୀନବନ୍ଧୁ ବେହେରାଙ୍କ ପୁତ୍ର ସନ୍ତୋଷ ବେହେରା(୪୧)ଙ୍କର ବିଦେଶରେ ପରଲୋକ ହୋଇଯାଇଛି । ଦୁବାଇରେ କାର୍ଯ୍ୟ କରୁଥିବା ସନ୍ତୋଷଙ୍କର ଗତ ତା.୧୮/ ୧ / ୨୦୨୩ ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାଯାଏ । ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ନିମନ୍ତେ ଗତ ୪ବର୍ଷ ତଳେ ଅର୍ଥାତ ୨୦୧୯ ମସିହାରେ ଦୁବାଇ ଯାଇଥିଲେ । ମଝିରେ ସେ ଘର ପରିବାର ଲୋକଙ୍କ ସହ ଫୋନ୍ରେ କଥା ବାର୍ତ୍ତା କରିଥିଲେ ଯେ, ଦୁଇମାସ ପରେ ଗାଁକୁ ଆସିବି ବୋଲି ସେ କହୁଥିଲେ । ତେବେ “ବିଧିର ବିଧାନ କେ କରିବେ ଆନ,” ବିଧାତାର ବିଧାନ ତା’ର ମୃତ ଶରୀର ସହ ଆସି ପହଞ୍ଚିଲା । ସେଠାରେ ସେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କୁହାଯାଉଛି । ତାଙ୍କ ସାନଭାଇ ନିରଞ୍ଜନ ବେହେରା ଜଣେ ସ୍ଥାନୀୟ ସମାଜସେବୀ ଅଟନ୍ତି । ସେ ଅବସରପ୍ରାପ୍ତ ଭାରତୀୟ ସୈନିକ ଅର୍ଜୁନ ବେହେରାଙ୍କ ନିକଟରେ ଜଣାଇଲେ । ଆଉ ଅର୍ଜୁନ ବେହେରାଙ୍କ ପ୍ରବଳ ପ୍ରଚେଷ୍ଟା ବଳରେ ସ୍ୱର୍ଗତ ସନ୍ତୋଷ ବେହେରାଙ୍କର ମୃତଶରୀର ଦଶ ଦିନପରେ ଜନ୍ମମାଟିରେ ଆସି ପହଞ୍ଚିବା ସମ୍ଭବପର ହୋଇଛି । ମରଶରୀର ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ପରିବାରରେ ତାଙ୍କ ସ୍ତ୍ରୀ ଓ ପୁଅମାନଙ୍କ ତରଫରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ମୃତକ ସନ୍ତୋଷ ବେହେରାଙ୍କ ପରିବାର ବର୍ଗଙ୍କ ଆର୍ଥିକ ସରକାରୀ ସହାୟତା ନିମନ୍ତେ ନିବେଦନ କରିଛନ୍ତି । ଏପରିକି ତାଙ୍କୁ ଅନୁକମ୍ପା ମୂଳକ କ୍ଷତିପୂରଣ ସହାୟତା ପ୍ରଦାନ ନିମନ୍ତେ ବିଭିନ୍ନ ମହଲରେ ସରକାରଙ୍କୁ ଅନୁରୋଧ କରାଯାଇଛି ।
Next Post