ବଜ୍ରାଘାତରେ ଚାଷୀ ଓ ଶ୍ରମିକ ମୃତ

ବାଲେଶ୍ୱର : ରବିବାର ଅପରାହ୍ନରେ ବଜ୍ରାଘାତରେ ବାଲେଶ୍ୱର ଜିଲ୍ଲା ସଦର ବ୍ଲକର ଦୁଇଜଣ ପ୍ରାଣ ହରାଇଛନ୍ତି । ମୃତକମାନେ ହେଲେ ସହଦେବଖୁଣ୍ଟା ଥାନା ଅଞ୍ଚଳର ଚିରାଗ ବିଶ୍ୱାଳ(୩୨) ଓ ସଦର ଥାନା ଅଞ୍ଚଳର ହରେକୃଷ୍ଣ ଜେନା(୬୨) । ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଶୋଇ ଅଞ୍ଚଳର ପଙ୍କଜ ବିଶ୍ୱାଳଙ୍କ ପୁଅ ହେଉଛନ୍ତି ଚିରାଗ । ସେ ସହଦେଖୁଣ୍ଟା ଭୀମପୁରା ଅଞ୍ଚଳରେ ଭଡ଼ାରେ ରହୁଥିଲେ । ସ୍ଥାନୀୟ ଅଞ୍ଚଳରେ ଜଣଙ୍କ ଘରେ ପକ୍କା କାମ କରୁଥିବା ବେଳେ ଅପରାହ୍ନ ସାଢ଼େ ୨ଟାରେ ବଜ୍ରାଘାତର ଶିକାର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ସଦର ଥାନା ଖମଟଣା ଅଞ୍ଚଳର ହରେକୃଷ୍ଣ ଆଜି ଚାଷଜମିରେ ସାର ପକାଉଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଥିଲେ । ବିଲରେ ଥିବା ଅନ୍ୟଚାଷୀ ତାଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ ବି ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏନେଇ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ପୁଲିସ ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Leave A Reply

Your email address will not be published.

error: Content is protected !!