ସର୍ପାଘାତରେ ୨ ମୃତ

ଝୁମ୍ପୁରା : ବାରିଆ ଥାନା ଅଞ୍ଚଳରେ ସାପ କାମୁଡ଼ାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଉଖୁଣ୍ଡା ଢିପାସାହିର ନରେନ୍ଦ୍ର ମହାନ୍ତଙ୍କ ଝିଅ ସତ୍ୟମୟୀ ଉଖୁଣ୍ଡା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ । ସୂଚନା ଅନୁସାରେ ଗତକାଲି ରାତିରେ ଖାଇସାରି ଗୋଟିଏ ପଲଙ୍କରେ ମଶାରି ଟାଣି ତିନି ଭଉଣୀ ଶୋଇଥିଲେ । ରାତି ୩ଟା ବେଳେ ଏକ ବିଷଧର ଚିତିସାପ ସତ୍ୟମୟୀଙ୍କ କାନକୁ କାମୁଡ଼ି ଦେଇଥିଲା । ପରିବାର ‌ଲୋକେ ଝଡ଼ାଫୁଙ୍କା କରି କୌଣସି ସୁଫଳ ନ ପାଇବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଟୁକୁଡିହା ପଞ୍ଚାୟତ ମନହରପୁର ଗ୍ରାମର ସାନନ୍ଦ ମହାନ୍ତଙ୍କ ପୁଅ କିଶୋର ମହାନ୍ତ ମଧ୍ୟ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ରାତିରେ ‌ଶୋଇଥିବା ବେଳେ ଏକ ବିଷଧର ଚିତିସାପ ତାଙ୍କୁ କାମୁଡ଼ି ଥିଲା । କିଶୋର ପାଟି କରିବାରୁ ଘର ଲୋକେ ଉଠି ପଡ଼ିଥିଲେ । ପ୍ରଥମେ ଝଡ଼ାଫୁଙ୍କା କରିବା ପରେ କେନ୍ଦୁଝର ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଝୁମ୍ପୁରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଥିଲେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।

Leave A Reply

Your email address will not be published.