ଟ୍ରାକ୍ଟର ଧକ୍କାରେ ନାବାଳକ ଛାତ୍ର ମୃତ ଘଟଣା : ମଧ୍ୟରାତ୍ରୀରେ ହଟିଲା ରାସ୍ତାରୋକ୍, ଟ୍ରାକ୍ଟର ଅଟକ, ଡ୍ରାଇଭରଙ୍କୁ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(କ)ପଞ୍ଚାୟତ ଲାରିପଡା ଛକ ନିକଟରେ ରବିବାର ସନ୍ଧ୍ୟାରେ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ କ୍ଷତିପୂରଣ ଦାବୀରେ ଚାଲିଥିବା ରାସ୍ତା ଅବରୋଧ ମଧ୍ୟରାତ୍ରୀରେ ହଟିଥିଲା । ଟ୍ରାକ୍ଟର ମାଲିକ ମୃତ ଛାତ୍ରଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ରାଜି ହେବା ପରେ ରାସ୍ତା ଅବରୋଧ ହଟିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି । ପୁଲିସ ଟ୍ରାକ୍ଟରକୁ ଅଟକ ରଖିଥିଲା ବେଳେ ଅଟକ ଟ୍ରାକ୍ଟର ଡ୍ରାଇଭର୍‌ ସୁକୁନାପଦର ଗ୍ରାମର ତୁଲେଶ୍ୱର ବେନିଆଁ(୨୭)ଙ୍କୁ ସୋମବାର କୋର୍ଟ ଚାଲାଣ କରିଥିଲା । ପତ୍ରାପାଲି(କ) ପଞ୍ଚାୟତ ଖପାଦର ଗ୍ରାମର ସଂଜୀବ ପୁଟେଲଙ୍କ ଏକମାତ୍ର ପୁଅ ତଥା ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ପୀତାମ୍ବର ପୁଟେଲ (୧୩) ନାମକ ଜଣେ ନାବାଳକ ଛାତ୍ର ନିକଟସ୍ଥ ଜାମୁଟ ଗ୍ରାମକୁ ଏକ ଦଶାହ କାର୍ଯ୍ୟରେ ଯୋଗଦେଇ ସନ୍ଧ୍ୟା ସମୟରେ ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ଜାମୁଟ-ବଙ୍ଗୋମୁଣ୍ଡା ରାସ୍ତାର ଲାରିପଡା ଛକ ନିକଟରେ ବଙ୍ଗୋମୁଣ୍ଡା ପଟରୁ ଦୃତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ଧକ୍କା ଦେବାରୁ ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ଘଟିଥିଲା । ଟ୍ରାକ୍ଟର(ଓଡ଼ି ୦୩ ଟି ୮୩୨୬)ଟି ସୁକୁନାପଦର ଗ୍ରାମର ବିଷ୍ଣୁ ହେର୍ଣ୍ଣାଙ୍କ ବୋଲି ଜଣାପଡିଥିଲା । ପରିବାର ଲୋକେ ଏବଂ ସମ୍ପର୍କୀୟ ପହଁଞ୍ଚିବା ପରେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ବଙ୍ଗୋମୁଣ୍ଡା ଥାନା ଆଇଆଇସି ସଞ୍ଜୀବ ପଧାନ ଏବଂ ମୁରିବାହାଲ ଥାନା ଏସ୍‌ଆଇ ପ୍ରମୋଦ କୁମାର ପଧାନଙ୍କ ସହ ପୋଲିସ ଘଟଣାସ୍ଥଳକୁ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତ ନାବାଳକର ମୃତ୍ୟୁ ପାଇଁ ଦାୟୀ କରି ଟ୍ରାକ୍ଟର ଡ୍ରାଇଭର୍‌କୁ ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ମାଡ ମାରିଥିଲେ । ପୁଲିସ୍ ପହଞ୍ଚି ଡ୍ରାଇଭର୍‌ଙ୍କୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସିତ ସହ ଥାନାରେ ଅଟକ ରଖିଥିଲା । ଏ ସମ୍ପର୍କରେ ଥାନା କେଶ ନଂ ୨୫୫/୨୪ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.