ବ୍ରହ୍ମପୁର, (କେପିଏନ୍ଏସ୍) : ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ସିକିରି ଗ୍ରାମରେ ସୋମବାର ପୂର୍ବାହ୍ନରେ ହାଇୱା ଧକ୍କାରେ ଜଣେ ୪ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁ ଜଣକ ହେଲେ ପ୍ରମୋଦ ଦଳାଇଙ୍କ ପୁଅ ହିମାଂଶୁ । ମିଳିଥିବା ସୂଚନା ଅନୁଯାୟୀ, ହିଂଜିଳି ଠାରୁ ତାରାତାରିଣୀ ରାସ୍ତାରେ ଥିବା ସିକିରି ଗ୍ରାମରେ ହିମାଂଶୁଙ୍କ ଘର । ପୂର୍ବାହ୍ନରେ ସେ ରାସ୍ତା ପାର ହେଉଥିବା ବେଳେ ତାରାତାରିଣୀ ଆଡ଼କୁ ଯାଉଥିବା ହାଇୱା ଚାପି ଦେଇଥିଲା । ଚକା ତଳେ ହିଁ ହିମାଂଶଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ହିଂଜିଳି-ତାରାତାରିଣୀ ରାସ୍ତାରେ ଶତାଧିକ ଯାନବାହାନ ଉଭୟ ପଟରେ ଅଟକି ରହିଛି । ଘଟଣାସ୍ଥଳରେ ହିଂଜିଳି ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଅଶାନ୍ତ ରହିଥିବା ସୂଚନା ମିଳିଛି । ମୃତକଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବୀ କରିଛନ୍ତି ।