ଉଦଳା : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁନ୍ଦୁରସାହି ଗ୍ରାମରେ ମାଛ ଧରିବା ପାଇଁ ବସାଇଥିବା ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ସନ୍ତୋଷ କୁମାର ବେହେରା । ସୂଚନାନୁଯାୟୀ, କପ୍ତିପଦା ଥାନା ନୁନ୍ଦୁରସାହି ଗ୍ରାମର ସନ୍ତୋଷ କୁମାର ବେହେରା ଅନ୍ୟ ଗ୍ରାମବାସୀଙ୍କ ସହ ମିଶି ବନ୍ଧରୁ ମାଛ ଧରିବା ପାଇଁ ବିଦ୍ୟୁତ୍ ଫାଶ ବସାଇଥିଲେ । ବିଦ୍ୟୁତ୍ ଆଘାତ ପାଇ ମାଛ ସବୁ ପାଣିରୁ ବାହାରି ଆସିବେ ଏବଂ ସେମାନେ ମାଛ ଧରିବେ ବୋଲି ଜଗି ରହିଥିଲେ । ହେଲେ ବିଦ୍ୟୁତ୍ ଫାଶ ବସିଥିବା ବନ୍ଧରେ ସନ୍ତୋଷ ନିଜେ ପଡ଼ିଯାଇଥିଲେ । ବିଦ୍ୟୁତ ଆଘାତରେ ସେ ଗୁରୁତର ହୋଇଥିଲେ । ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ଡାକ୍ତରଖାନା ଆଣିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
Prev Post