ବଲାଙ୍ଗିରରେ ମୋଟିଭେସନାଲ କେରିୟର କାଉନସେଲିିଂ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିଶନ କମ୍ପାଉଣ୍ଡ ସ୍ଥିତ ସମାଜ ଗୃହରେ ଆୟୋଜିତ ହୋଇଯାଇଛି ମୋଟିଭେସନାଲ କେରିୟର କାଉନସେଲିିଂ କାର୍ଯ୍ୟକ୍ରମ । ଆ. ନରେଶ ମାଥୁଉସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ସମ୍ବଲପୁର ଧର୍ମାଚଳର ଧର୍ମାଧ୍ୟକ୍ଷ ପବିତ୍ରାଚାର୍ଯ୍ୟ ଡ. ପିନ୍ଧୁଏଲ ଦୀପ ମୁଖ୍ୟ ଅତିଥି ଭାବରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପ୍ରାର୍ଥନା ସହ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ସେ ତାଙ୍କ ଆଭିଭାଷଣରେ ଚାକିରି ଆଶାୟୀ ଯୁବକ ଯୁବତୀମାନଙ୍କୁ ନିଜ ଯୋଗ୍ୟତା ଓ ଅଭିଜ୍ଞତା ମୁତାବକ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ଚାକିରି ଖୋଜିବା ନିମନ୍ତେ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଲୋକପାଳ ସଚ୍ଚିଦାନନ୍ଦ ହନୁମାନ ଯୋଗଦାନ କରି ଆଧୁନିକ ସମୟର ଆବଶ୍ୟକତା ଅନୁସାରେ ନିଜକୁ ଗଢିବା ତଥା ସ୍ଵାବଲମ୍ବୀ ହେବା ନିମନ୍ତେ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମର ଆବାହକ ଆ. ସୁଚିତ୍ର ସୁନା ସମସ୍ତ ଅତିଥିମାନଙ୍କୁ ସ୍ଵାଗତ କରିବା ସହିତ ସଭାର ଆଭିମୁଖ୍ୟ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବରେ ଇ. ସାମସନ ବାଗ (ରାୟପୁର) (Retired Vice President, Hindalco Industries ltd.) ଯୋଗଦାନ କରି ପଶ୍ଚିମ ଓଡିଶାର ଯୁବକ ଯୁବତୀମାନଙ୍କୁ ନିଜର ଯୋଗ୍ୟତା ଓ ଅଭିଜ୍ଞତା, ଅନୁଯାୟୀ ବିଭିନ୍ନ ଚାକିରି ପାଇଁ ନିଜର ଲକ୍ଷ୍ୟ ସ୍ଥିର କରିବାକୁ ଓ ତାହା ହାସଲ କରିବା ପାଇଁ ବିଭିନ୍ନ ଉପାୟମାନ ଉପସ୍ଥାପନ କରିଥିଲେ । ସେ ନିଜର ଅଭିଜ୍ଞତା, ଦର୍ଶନ ଓ ବୋଝ ବିଷୟରେ ସାମ୍ୟକ ଧାରଣା ପ୍ରକାଶ କରିବା ସହିତ ପ୍ରାଥମିକ ସ୍ତରରେ ବିଫଳ ହୋଇ ମଧ୍ୟ ପରବର୍ତୀ ସମୟରେ କିପରି ନିଜର ଅଧ୍ୟବସାୟ ବଳରେ ସଫଳ ବ୍ୟକ୍ତି ହୋଇଥିଲେ ତହିଁର କେତେକ ଉଦାହରଣ ଉପସ୍ଥାପନ କରି ବିଫଳତାରେ ନିରାଶ ନ ହୋଇ ଉଦ୍ୟମ ଜାରି ରଖିବା ନିମନ୍ତେ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ଚାକିରି ଅନ୍ବେଶୀ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଆ ଇମାନୁଏଲ ଦାନୀ, ପ୍ରମୋଦ କୁମାର ବାରିକ, ଆଲେକଜାଣ୍ଡର ବାଗ, ମନୋରଞ୍ଜନ ନନ୍ଦ, ସୌମ୍ୟ ରଞ୍ଜନ ବାଗ, ମହେନ୍ଦ୍ର କୁମାର ବାଗ, ସୂର୍ଯ୍ୟକାନ୍ତ ବାଗ, ହରମନ ବାଗ ତଥା ବାଗ ପରିବାରର ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପ୍ରତିନିଧିମାନଙ୍କୁ ଉତ୍ସାହିତ କରିଥିଲେ । ସଭା ଶେଷରେ ଆବାହକ ଆ. ସୁଚିତ୍ର ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.