- ‘ଲୋକ ସଂସ୍କୃତି ହିଁ ଆମର ପ୍ରଧାନ ପଥ ପ୍ରଦର୍ଶକ’
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ମିନି ଷ୍ଟାଡିୟମଠାରେ ତୃତୀୟ ବିମଲେଇ ମହୋତ୍ସବର ଦ୍ୱିତୀୟ ଦିବସର ସାଂଧ୍ୟ ଅଧିବେଶନ ମହୋତ୍ସବର ସଭାପତି ଭରତଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟଅତିଥି ଭାବେ ଚାଷୀ ନେତା ଅରୁଣ ମିଶ୍ର ଯୋଗଦେଇ ଆମର ଲୋକ ସଂସ୍କୃତି ହିଁ ଆମର ପ୍ରଧାନ ପଥ ପ୍ରଦର୍ଶକ ବୋଲି କହିବା ସହ ଶିଷ୍ଟ ପରମ୍ପରା ପଛରେ ଲୋକ ସଂସ୍କୃତିର ବଳିଷ୍ଠ ଭୂମିକା ରହିଛି ଏବଂ ସମାଜ ହିଁ ଲୋକ ସଂସ୍କୃତିର ଆଶ୍ରୟ ସ୍ଥଳ ବୋଲି ନିଜ ବକ୍ତବ୍ୟରେ କହିବା ସହ ବିମଲେଇ ମହୋତ୍ସବର ଆୟୋଜକ ବନ୍ଧୁମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ମଧୁସୂଦନ ପ୍ରଧାନ ଯୋଗଦେଇ ମାନବ ସମାଜର ସମଷ୍ଟିଗତ ଆତ୍ମପ୍ରକାଶ ହେଉଛି ଲୋକସଂସ୍କୃତି ବୋଲି କହିବା ସହ ଏଭଳି ମହୋତ୍ସବ ଲୋକମାନଙ୍କୁ ଭାତୃତ୍ୱ ବନ୍ଧନରେ ବାନ୍ଧି ରଖିଛି ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ବିଲେଇସର୍ଡା ସରପଞ୍ଚ ସୁଶାନ୍ତ ଛତ୍ରିଆ, ଅଭିନେତା ରାଜକିଶୋର ପାଇକ, ଶୁଶୀଲ ପଧାନ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ଆମ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖି ବିକାଶ ପଥରେ ଆଗେଇବା ହିଁ ଆମ ଲକ୍ଷ୍ୟ ହେବା ଉଚିତ ବୋଲି କହିଥିଲେ । ଜ୍ୟୋତିପ୍ରକାଶ ସାହୁ କାର୍ଯ୍ୟକ୍ରମର ସଂଯୋଜନା ଓ ଅନିଲ ପଣ୍ଡା ଧନ୍ୟବାଦ ଦେଇଥିଲେ । ସଭାପରେ କଂସ ଦରବାରରେ ସ୍ୱୟମ ଏକାଡେମୀ ଡ୍ୟାନ୍ସ ସମ୍ବଲପୁରର କଳାକାରମାନଙ୍କ ଦ୍ୱାରା ଦଳଗତ ନୃତ୍ୟ , ଶ୍ରୀୟା ସାହୁଙ୍କ ଏକକ ନୃତ୍ୟ, ପ୍ରୀନ୍ସ ସାଇ ଗୃପଙ୍କ ଦଳଗତ ନୃତ୍ୟ ପ୍ରଦର୍ଶନ ହୋଇଥିଲା । ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ତଥା ଗ୍ରାମବାସୀ ସକ୍ରୀୟ ସହଯୋଗ କରିଥିଲେ ।