ଦୁଇ ଅସହାୟ ବୃଦ୍ଧାଙ୍କୁ ମିଳିବ ରାସନ କାର୍ଡ

କଣ୍ଟାମାଲ, (ବଂଶୀଧର ମାଝୀ) : କଣ୍ଟାମାଲ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ଗୌରୀ ବେଙ୍ଗସ ଗ୍ରାମର ଉଷା ନାଏକ ଓ ଅତୁର ନାଏକ ଅତି ଗରିବ ଶ୍ରେଣୀର । ଏବେ ମଧ୍ୟ ସେମାନେ ରାସନ କାର୍ଡ ପାଇବାରୁ ବଞ୍ଚିତ । ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ପରିବାରକୁ ୧ ଟଙ୍କା ଦରରେ ମୁଣ୍ଡପିଛା ୫କେଜି ଚାଉଳ ଯୋଗାଇ ଦେଉଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ରାସନ କାର୍ଡ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଖବର ବିଷୟରେ ଜାଣିଲା ପରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଯୋଗାଣ ବିଭାଗ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କମିଶନର ପ୍ରମୋଦ ମେରକାଙ୍କୁ ଜଣେଇ ତାଙ୍କୁ ତୁରନ୍ତ ରାସନ କାର୍ଡ ତିଆରି କରିବାକୁ ଅନୁରୋଧ କରିଥିଲେ । ଅଭିଯୋଗ ପାଇଲା ପରେ ଏହାର ଉତ୍ତର ରଖିଛନ୍ତି ଫୁଡ଼୍‌ କମିଶନର ପ୍ରମୋଦ ମେରକା । ତାଙ୍କୁ ଖୁବ ଶୀଘ୍ର ଏକ ରାସନ କାର୍ଡ ତିଆରି କରି ମାସିକ ରାସନ ପ୍ରଦାନ କରାଯିବ ବୋଲି ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ଦୁଇ ବୃଦ୍ଧଙ୍କୁ ଶୀଘ୍ର ରାସନ କାର୍ଡ ମିଳିବା ଜାଣି ସେମାନେ ଖୁସି ହୋଇଥିବା ଜଣାପଡିଛି । ସମାଜସେବୀଙ୍କ ଏହିପରି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଢେର ସାରା ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.