
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥଠାରେ ବୈଶାଖ ମେଳା ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି । ଏକ ଭବ୍ୟ କଳସ ଶୋଭାଯାତ୍ରାରେ ବାହାରି ମାଁ ଭଉଣୀ ତଥା ଭକ୍ତ ମାନେ ଝରଣାର ଗଣେଶ ଘାଟରେ ପବିତ୍ର ପାଣି କଳସରେ ଆଣି ନୃସିଂହନାଥ ମନ୍ଦିର, ଶିବ ମନ୍ଦିର, ସମଲେଶ୍ୱରୀ ମନ୍ଦିର , ଶ୍ରୀରାମ ମନ୍ଦିର, ବିଦ୍ଧ୍ୟବାସୀନୀ ମନ୍ଦିର ଓ ଅନ୍ୟ ପାଶ୍ୱ ଦେବା ଦେବୀ ମନ୍ଦିରକୁ କଳସ ଯାତ୍ରାରେ ଯାଇ ପୂଜା ଅର୍ଚ୍ଚନା କରିବା ସହ ବିଶ୍ୱଶାନ୍ତି ମହାଯଜ୍ଞ ପୀଠରେ କଳସ ସ୍ଥାପନ କରିଥିଲେ । କର୍ତ୍ତା ଭାବେ ଚୁଡ଼ାମଣି ଭୁଏ ଓ ତାଙ୍କ ଧର୍ମ ପତ୍ନୀ ସନ୍ତୋଷୀନି ଭୁଏ ଦାୟିତ୍ୱ ତୁଲାଉଛନ୍ତି । ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସହ ମୁନା ଦେବତା କାଯ୍ୟ ତୁଲାଇ ଥିଲେ । ବୈଶାଖ ମେଳା କମିଟିର ସଭ୍ୟ ମାନେ ନିଜ ନିଜର ଦାୟିତ୍ୱ ତୁଳାଉଥିବା ବେଳେ ପୋଲିସ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଦମକଳ ବିଭାଗୀୟ କର୍ମଚାରୀ ମାନେ ନିଜ ନିଜର ଦାୟିତ୍ୱ ତୁଲାଉଛନ୍ତି । ଶାନ୍ତି ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା ତଥା ପୋଲିସ ସହାୟତା ପାଇଁ ଏସ.ଡି.ପି.ଓ. ୧ଜଣ, ଡି.ଏସ.ପି.୩ଜଣ, ଇନ୍ସପେକ୍ଟର ୫ଜଣ, ସବ୍ ଇନ୍ସପେକ୍ଟର ଓ ଏ ଏସ ଆଇ ମିଶି ୪୦ ଜଣ,୧୦ ପ୍ଲାଟୁନ ଫୋର୍ସ ଓ ପୋଲିସ, ୬୦ ଜଣ ହୋମ ଗାର୍ଡ ନିଯୁକ୍ତି ହୋଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।