ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟି ଠାରେ ବଲାଙ୍ଗିର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରବିବାର ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ତଥା ଜ୍ଞାନ ବିଜ୍ଞାନ ମେଳାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ମେଳାରେ ସଂସ୍କୃତିବୋଧ ପରିଯୋଜନା, ବିଜ୍ଞାନ ଓ ଗଣିତ ବିଭାଗରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ବଲାଙ୍ଗିର ସଙ୍କୁଳ ଅନ୍ତର୍ଗତ ୮ଟି ଶିଶୁ ବିଦ୍ୟା ମନ୍ଦିରରୁ ଶିଶୁ, ବାଲ ଓ କିଶୋର ବର୍ଗରେ ମୋଟ ୨୮୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ବିଭିନ୍ନ ବିଭାଗରେ ୧୨୦ ଜଣ ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିଲେ । ନିକଟସ୍ଥ ବିଭିନ୍ନ ବିଦ୍ୟାଳୟରୁ ବିଜ୍ଞାନ ଓ ଗଣିତ ବିଭାଗର ୨୦ ଜଣ ଶିକ୍ଷକ ତଥା ସଂକୁଳ ଅନ୍ତର୍ଗତ ୮ଟି ଶିଶୁ ବିଦ୍ୟା ମନ୍ଦିରରୁ ୩୦ ଜଣ ଆଚାର୍ଯ୍ୟ ବିଚାରକ ଓ ପରିଚାଳକ ଭାବରେ ପ୍ରତିଯୋଗିତା ପରିଚାଳନା କରିଥିଲେ । ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ତଥା ଅବସରପ୍ରାପ୍ତ ଶିକ୍ଷକ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦେଇ ଶିଶୁଙ୍କୁ ସାଧନା ବଳେ ସଫଳତାକୁ ସ୍ପର୍ଶ କରିବାକୁ ନିଜ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ । ଚନ୍ଦନଭାଟି ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନ, ଉପ-ସଭାପତି ପ୍ରଭୁଦତ୍ତ ପ୍ରଧାନ, ସଂପାଦକ ଡ. ଲକ୍ଷ୍ମଣ କୁମାର ମେହେର, ଯୁଗ୍ମ-ସଂପାଦକ ତେଜରାଜ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିର ସଙ୍କୁଳ ସଂଯୋଜକ ସୁବ୍ରତ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ପ୍ରଦାନ ପର୍ବକୁ ଆଗେଇ ନେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ପରିଚାଳନା ସମିତିର ଉପ-ସଭାପତି ପ୍ରଭୁଦତ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ଆଚାର୍ଯ୍ୟ ଟିକେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ସଭା ସଂଯୋଜନା କରିଥିଲେ । ଶିଶୁ ମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ୟ୍ୟା ତଥା ସେବକ, ସେବିକା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୂଚାରୁରୂପେ ସଂଚାଳନ କରିଥିଲେ ।

Leave A Reply

Your email address will not be published.