jayashree

ଇଚ୍ଛାପୁରରେ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ ମେଳା ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ସମଗ୍ର ଶିକ୍ଷା ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଏକ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ଲକ ଅନ୍ତର୍ଗତ ୬୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ନିଜ ନିଜ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ । ଶ୍ରୀ ଦୁବେ ନିଜର ଓଜସ୍ୱିନୀ ବକ୍ତବ୍ୟ ମାଧ୍ୟମରେ ଶିକ୍ଷକ ନିଜେ ଶିକ୍ଷଣ ସାମଗ୍ରୀ ଏବଂ ସମସ୍ତ ଶିଶୁଙ୍କୁ ସମାନ ଦୃଷ୍ଟିରେ ଦେଖିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହ ସୁନ୍ଦର ଗଳ୍ପ ମାଧ୍ୟମରେ ଗୁରୁ ଶିଷ୍ୟଙ୍କ ସମ୍ପର୍କ କିଭଳି ହେବା ଆବଶ୍ୟକ ତାହା କହିଥିଲେ । ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ପ୍ରଶିକ୍ଷକ ରାଜେଶ କୁମାର ଭୋଇ ଏବଂ ସଞ୍ଜୟ ଶବର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହେମନ୍ତ କୁମାର ପଣ୍ଡା, ସୁଶାନ୍ତ ଖମାରି, ସୁନୀଲ କୁମାର ମୁଣ୍ଡ, ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନିକଟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଏବଂ ବିଦ୍ୟାଳୟମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନ ଶିକ୍ଷକ ମନ୍ମଥ ମିଶ୍ର ମଞ୍ଚ ପରିଚାଳନା ଏବଂ ବିଆର୍‌ସିସି ହେମନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଭିନ୍ନ ଵିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଦ୍ୱାରା ପ୍ରଦର୍ଶିତ ଶିକ୍ଷଣ ସାମଗ୍ରୀ ମେଳାକୁ ଅତିଥି ଏବଂ ଶିକ୍ଷାପ୍ରେମୀମାନେ ବୁଲି ଦେଖିଥିଲେ । ଏଭଳି ଏକ ପ୍ରୟାସ ଦ୍ୱାରା ବହୁଳ ଭାବରେ ଶିକ୍ଷଣ ସାମଗ୍ରୀର ଉପଯୋଗ କରାଯାଇପାରିବ ଯାହାକି ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବେଶ ସହାୟକ ହୋଇ ପାରିବ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଏବଂ ଶିକ୍ଷାପ୍ରେମୀ ମହଲରେ ପ୍ରସଂଶା କରାଯାଇଛି ।

Leave A Reply

Your email address will not be published.