ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଶାସ୍ତ୍ରୀନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ଏକ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହୋଇଯାଇଛି । ଉପରୋକ୍ତ ସ୍ୱାସ୍ଥ୍ୟ ମେଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଡା. ଦିବ୍ୟ କିଶୋର ପତି (ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡିପିଏଚ୍ଓ) ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସବିଶେଷ ୧୩ ଗୋଟି ଉଦ୍ଦେଶ୍ୟରେ ଯଥା ଅଣସଂକ୍ରମଣ ରୋଗର ପରିଚାଳନା, ଚକ୍ଷୁର ପ୍ରାଥମିକ ଯତ୍ନ, ପରିବାର ନିୟୋଜନ ଓ ପ୍ରଜନନ ସ୍ୱାସ୍ଥ୍ୟ, ଶୈଶବ ଓ କୈଶୋର ସ୍ୱାସ୍ଥ୍ୟ, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ, ଦାନ୍ତର ପ୍ରାଥମିକ ଯତ୍ନ, ସଂକ୍ରମଣ ରୋଗର ପରିଚାଳନା, ରୋଗୀର ଯତ୍ନ, କାନ, ନାକ ଓ ଗଳାର ପ୍ରାଥମିକ ଯତ୍ନ, ମାନସିକ ସ୍ୱାସ୍ଥ୍ୟ ସେବା, ଗର୍ଭବସ୍ଥା ଓ ପ୍ରସବ, ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଓ ଟେଲି ମେଡ଼ିସିନ ସେବା ଗୁଡିକୁ ସୁଚାରୁରୂପେ ପରିଚାଳନା କରାଇ ଏହି ସେବାକୁ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇ ଦେବା ଏହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଲକ୍ଷ ବୋଲି ଜଣାଇଥିଲେ । ଉପରୋକ୍ତ ସ୍ୱାସ୍ଥ୍ୟ ସେବା ଆମ ଲୋକଙ୍କ ସର୍ବନିମ୍ନ ଅଧିକାର ଓ ଏହାକୁ ଲୋକାଭିମୁଖୀ କରାଇବାରେ ଆମ ଜାତୀୟ ସ୍ୱାସ୍ଥ୍ୟ ମିଶନର ଉଦ୍ଦେଶ୍ୟ ବୋଲି ଏନ୍ଏଚ୍ଏମ୍ ଅତିରିକ୍ତ ପ୍ରଜେକ୍ଟ ମ୍ୟାନେଜର ରାମାନୁଜ ପଣ୍ଡା ଜଣାଇଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗଦାନ କରି ଜିଲ୍ଲା ଏଇସି ମେନେଜର ଓ ପ୍ରଶିକ୍ଷଣ କବିନ୍ଦ୍ର ଜେନା ଓ ପ୍ରକାଶ ପାତ୍ର ମେଳା ସମ୍ପର୍କିତ ଅଭିଭାଷଣ ପ୍ରଦାନ କରିଥିଲେ ।
ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ମେଳାକୁ ଅନୁଷ୍ଠାନ ଅଧ୍ୟକ୍ଷ ସତ୍ୟ ରଞ୍ଜନ ମିଶ୍ର ସଭାପତିତ୍ୱ କରିଥିବା ବେଳେ ରବି ରଞ୍ଜନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।