centurian jitm

କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ, ୪୯୫ ଜଣଙ୍କୁ କର୍ମନିଯୁକ୍ତି

ପୁରୀ : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା ଆଜି ପୁରୀ ସରକାରୀ ଆଇଟିଆଇ ପରିସରରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ନିଯୁକ୍ତି ମେଳା ପରିଦର୍ଶନ କରିବା ସହ ବିଭିନ୍ନ ନିଯୁକ୍ତିଦାତା କମ୍ପାନୀଙ୍କ ସହ ଆଲୋଚନା କରିଥିଲେ । ବିଭିନ୍ନ କମ୍ପାନୀର କାର୍ଯ୍ୟ ଓ ନିଯୁକ୍ତି ବ୍ୟବସ୍ଥା ସହ ଆଶାୟୀ ପ୍ରାର୍ଥୀ ମାନଙ୍କ କାର୍ଯ୍ୟଧାରା ସମ୍ପର୍କରେ ସେ ଅନୁଧ୍ୟାନ କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ମଧ୍ୟ ନିଯୁକ୍ତି ମେଳା ପରିଦର୍ଶନ କରିଥିଲେ । ପରେ ଜିଲ୍ଲା ନିୟୋଜନ ଅଧିକାରୀ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ମେଳା ଆୟୋଜନର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଯୋଶୀ, ଡିଏସ୍‌ଏମ୍‌ଏସ୍‌ର ଅତିରିକ୍ତ ସିଇଓ ପ୍ରଶାନ୍ତ କୁମାର ଦାସ, ପୁରୀ ସରକାରୀ ଆଇଟିଆଇର ଅଧ୍ୟକ୍ଷ ସସ୍ମିତା ବେହେରା ପ୍ରମୁଖ ଯୋଗ ଦେଇ ଏହି ନିଯୁକ୍ତି ମେଳା ବେରୋଜଗାର ପିଲା ମାନଙ୍କ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ । ରାଜ୍ୟ ଓ ରାଜ୍ୟ ବାହାରର ପ୍ରତିଷ୍ଠିତ ୨୨ ଟି ବେସରକାରୀ ସଂସ୍ଥାର ନିଯୁକ୍ତି ଦାତା ମାନେ ଯୋଗଦାନ କରି ୪୯୫ ପ୍ରାର୍ଥୀଙ୍କୁ ଚୟନ କରିଥିଲେ । ଏତଦ୍‌ ବ୍ୟତୀତ ଓଡିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ମାନେ ମଧ୍ୟ ୧୭୦ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ନିଯୁକ୍ତି ଦେବା ପାଇଁ ମନୋନୀତ କରିଥିଲେ । ଏହି ବୈଠକରେ କନିଷ୍ଠ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତି ବୈଠକ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ । ଜିଲ୍ଲା ନିୟୋଜନ ବିଭାଗର କର୍ମଚାରୀ ମାନେ ଯୋଗ ଦେଇ କାର୍ଯ୍ୟ ପରିଚାଳନା କରିଥିଲେ । ଆସନ୍ତାକାଲି ୨୪ ତାରିଖରେ ପିପିଲି ମହାବିଦ୍ୟାଳୟ ପରିସରରେ ପୂର୍ବାହ୍ନ ୧୦ ଘଟିକାରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଜଣାଇଛନ୍ତି ।

Leave A Reply

Your email address will not be published.