୨୭ରୁ ସରସ ସ୍ୱଦେଶୀ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଓରମାସର ମିଳିତ ଆନୁକୂଲ୍ୟରେ ଚଳିତ ମାସ ୨୭ରୁ ସରସ ସ୍ୱଦେଶୀ ମେଳା ଆରମ୍ଭ ହେବ । ଏହା ମାର୍ଚ୍ଚ ୯ ତାରିଖ ଯାଏ ଚାଲିବ । ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦେଇଛନ୍ତି । ଆରଏମସି ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ଯେ, ଏହି ଜାତୀୟ ସ୍ତରୀୟ ମେଳାରେ ଦେଶର ବିଭିନ୍ନ ପ୍ରଦେଶର ସ୍ୱତନ୍ତ୍ର ସାମଗ୍ରୀର ପ୍ରଦର୍ଶନ କରାଯିବ । ସେକ୍ଟର ୧୩ର ମେଲଣ ପଡିଆରେ ପାଖାପାଖି ୩୮୦ ଷ୍ଟଲ ଲାଗିବ । ଦେଶର ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀମାନେ ଅଂଶ ଗ୍ରହଣ କରିବେ । ଉତ୍ତର ପ୍ରଦେଶର ଲୁହା କାମ, ଆସାମ ତ୍ରିପୁରାର ବେତ ଓ ବାଉଁଶ, କାଶ୍ମୀରର ପଶମ ବସ୍ତ୍ର, ପଶ୍ଚିମବଙ୍ଗର ଝୋଟ ପ୍ରସ୍ତୁତି ସାମଗ୍ରୀର ପ୍ରଦର୍ଶନ ତଥା ବିକ୍ରୟ କରିବାର ଏକ ସୁଯୋଗ ପ୍ରଦାନ କରିବ । ଏହି ମେଳାରେ ଓଡିଶାର ସାମଗ୍ରୀର ସ୍ୱତନ୍ତ୍ର ସ୍ଥାନ ଦିଆଯିବ । ଓଡିଶାର ଟେରାକୋଟା, ଜନଜାତି ଅଳଙ୍କାର କେନ୍ଦୁଝରୀ ଫୁଲ ବଡି, ଶୁଖୁଆ ମସଲା ଇତ୍ୟାଦିର ପ୍ରଦର୍ଶନ କରାଯିବ । ଏହା ବ୍ୟତୀତ ପ୍ରତିଦିନ ସାଂସ୍କୃକତିକ ସଂଧ୍ୟାର ଆୟୋଜନ କରାଯିବ । ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ସୁଶ୍ରୀ ଦୀନା ଦସ୍ତଗୀର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁରଂଜନ ସାହୁ, ପାନପୋଷ ଉପ ଜିଲ୍ଲାପାଳ ବିଜୟ ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.