- ଶିଶୁର ସାମଗ୍ରିକ ବିକାଶ ପାଇଁ ଅଭିଭାବକ ପ୍ରଥମେ ନିଜକୁ ଗଢ଼ିବା ଆବଶ୍ୟକ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ରୟାଲ ପଡ଼ିଆରେ ଚାଲିଥିବା ପୁସ୍ତକ ଓ ସାରସ୍ୱତ ମେଳା ଇଙ୍କଫେଷ୍ଟ-୨୦୨୬ ପଞ୍ଚମ ସନ୍ଧ୍ୟାରେ ‘ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଅଭିଭାବକତ୍ୱ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଡ. ଜ୍ୟୋତି ରଞ୍ଜନ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. ସୁଜିତ ପୃଷେଠ ଏବଂ ଡ. ପ୍ରମୋଦ ପଣ୍ଡା ଅତିଥି ଆଲୋଚକ ଭାବରେ ଯୋଗଦେଇଥିଲେ । ଅଭିଭାବକତ୍ଵ ଏକ ବିଶେଷ ପ୍ରକ୍ରିୟା ଯାହାଦ୍ୱାରା ଆମେ ଆମ ପୁଅଝିଅଙ୍କୁ ଏକ ସୁନ୍ଦର ଭବିଷ୍ୟତ ପ୍ରଦାନ କରିପାରିବା । ଆମେ ଅଭିଭାବକମାନେ ଆମ ପୁଅଝିଅଙ୍କୁ ପ୍ରଥମେ ଶୁଣିବା ଏବଂ ତାହା ସହ ଆଗକୁ ବଢ଼ିବା । ଶିଶୁର ସାମଗ୍ରିକ ବିକାଶ ପାଇଁ ଅଭିଭାବକ ପ୍ରଥମେ ନିଜକୁ ଗଢ଼ିବା ଆବଶ୍ୟକ । ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାକୁ ନେଇ ଅଭିଭାବକମାନେ ଅଧିକ ଯତ୍ନବାନ ହେବା ଆବଶ୍ୟକ । ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ ଅଭିଭାବକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଅତିଥି ଆଲୋଚକମାନେ ମତ ପ୍ରକାଶ କରିଥିଲେ । ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଲିଖିତା ପଟ୍ଟନାୟକ ଅତିଥି ତଥା ଆଲୋଚକ ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ସ୍ମୃତିଫଳକ ପ୍ରଦାନ କରିଥିଲେ । ଏହାକୁ ଇଙ୍କଫେଷ୍ଟର ଉପସଭାପତି ଗତିକୃଷ୍ଣ ମିଶ୍ର ଉପସ୍ଥାପନା ଏବଂ ସଂଯୋଜନା କରିଥିବା ବେଳେ ପ୍ରତାପ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଇଙ୍କଫେଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।