ବିଦ୍ୟାଳୟ ବାହାରେ ଥିବା ଛାତ୍ରଛାତ୍ରୀଙ୍କ ନାମ ଲେଖା ପାଇଁ ମେଗା କ୍ୟାମ୍ପ

ଡୁଙ୍ଗୁରିପାଲି/ଏସ.ରାମପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖା ପାଇଁ ମେଗା କ୍ୟାମ୍ପ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଞ୍ଜାଲୁ ମିର୍ଦ୍ଧାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେର କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କୁ ତଥା ସଭାରେ ଉପସ୍ଥିତଥିବା ଅତିଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ କେନ୍ଦ୍ର ଡୁଙ୍ଗୁରିପାଲି ବ୍ଲକ ସଂଯୋଜକ ମନୋରଞ୍ଜନ ଛନ୍ଦ କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ରାଜ୍ୟର ସମସ୍ତ ବର୍ଗର ଲୋକମାନଙ୍କୁ ଶିକ୍ଷା ସୁବିଧା ଯୋଗାଇ ଦେଇ ଏକ ସୁନ୍ଦର ଭବିଷ୍ୟତ ଗଠନ କରିବା ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ଅଧାରୁ ପାଠ ଛାଡୁଥିବା ଝିଅ ପିଲା, ସ୍ତ୍ରୀ ଲୋକ ବା ଶିକ୍ଷାରୁ ବଞ୍ଚିତ ସହରାଞ୍ଚଳ ବା ଗ୍ରାମାଞ୍ଚଳ ଯୁବପିଢି, କାର୍ଯ୍ୟରତ ପୁରୁଷ ବା ମହିଳା, ଅନୁସୂଚିତ ଜାତି ଓ ଜନଜାତି, ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ଏବଂ ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀଭୁକ୍ତ ବ୍ୟକ୍ତି ବିଶେଷ ଯେଉଁମାନେ ଆନୁଷ୍ଠାନିକ (ଫୋର୍ମାଲ୍‌) ବିଦ୍ୟାଳୟ ମାଧ୍ୟମରେ ମାଧ୍ୟମିକ ଶିକ୍ଷାକୁ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି ସେହି ମାନଙ୍କ ପାଇଁ ଉଦ୍ଦିଷ୍ଟ । ସଭାରେ ମୁଖ୍ୟ ବକ୍ତା ତଥା ସମ୍ମାନିତ ଅତିଥି ହୋସିୟା ଛତ୍ରିଆ ସମସ୍ତଙ୍କର ଉଦ୍ୟମରେ ବିଦ୍ୟାଳୟ ବାହାରେ ଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଧାରାରେ ସାମିଲ କରାଯାଇ ପାରିବ ବୋଲି କହିଥିଲେ । ମାୟାବର୍ହା ଆଞ୍ଚଳିକ କେନ୍ଦ୍ର ସଂଯୋଜକ ସୌରଭ ସାହୁ ଓ ବେହେରାମାଲ ଆଞ୍ଚଳିକ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ରଥ ଶିକ୍ଷା ଏକ ମୌଳିକ ଅଧିକାର ଓ କେହିବି ବଞ୍ଚିତ ରହିବେ ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ । ରାମପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପ୍ରଦୀପ୍ତ କିଶୋର ଦାଶ ସଭା ସଂଯୋଜନା ଓ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୪ ଜଣଏନ୍‌ଆଇଓଏସ୍‌ ଓ ଜଣେ ଏସ୍‌ଆଇଓଏସ୍‌ରେ ଏବଂ ୨ ଜଣଙ୍କର ଏବେ ପ୍ରୋସେସରେ ଚାଲିଛି । ବାଙ୍କୀପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁନୀଲ ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗ କାର୍ଯ୍ୟକ୍ରମକୁ ସଫଳ କରିଥିଲା ।

Leave A Reply

Your email address will not be published.