କଳାହାଣ୍ଡିରେ ପରୀକ୍ଷା ଦେଲେ ୧୯, ୨୧୮ ମାଟ୍ରିକ ପରୀକ୍ଷାର୍ଥୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ଆଜି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ହୋଇଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ୧୩୨ଟି ପରୀକ୍ଷା କେନ୍ଦ୍ରରେ ୧୯,୪୬୬ ଜଣ ରେଗୁଲାର, ୮୫ ଜଣ ଏକ୍ସ ରେଗୁଲାର, ୨୧ ଜଣ କରେସପଣ୍ଡେଣ୍ଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯, ୨୧୮ଜଣ ପରୀକ୍ଷା ଦେଇଥିବାବେଳେ ୩୫୪ ଜଣ ଅନୁପସ୍ଥିତ ଥିବା ସୂଚନା ମିଳିଛି । ସେଭଳି ଭବାନୀପାଟଣା ବାଲାଜୀ ବିହାର ଶିଶୁମନ୍ଦିର ମୁକ୍ତ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୫୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୪ ଜଣ ପରୀକ୍ଷା ଦେଇଥିବାବେଳେ ୩୩ ଜଣ ଅନୁପସ୍ଥିତ ଥିବା ସୂଚନା ମିଳିଛି । ପରୀକ୍ଷାକୁ ସ୍ୱଚ୍ଛ କରିବାପାଇଁ ଜିଲ୍ଲାରେ ୧୪ ଟି ନୋଡାଲ ପରୀକ୍ଷା କେନ୍ଦ୍ର କରାଯାଇଛି । ଉକ୍ତ ନୋଡାଲ କେନ୍ଦ୍ର ଗୁଡିକରେ ୨୪ ଘଣ୍ଟିଆ ପୁଲିସ ମୁତୟନ କରାଯାଇ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରଖାଯାଇଛି । ପରୀକ୍ଷା ଆରମ୍ଭ ପୂର୍ବରୁ ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ର ମାନଙ୍କୁ ନୋଡାଲ କେନ୍ଦ୍ରରୁ ପ୍ରଶ୍ନପତ୍ର ପଠାଯାଉଛି । ପରୀକ୍ଷାରେ ସ୍ୱଚ୍ଛତା ଆଣିବାପାଇଁ ପ୍ରତି ବ୍ଲକରେ ବ୍ଲକ ସ୍ତରୀୟ ସ୍କାର୍ଡ, ଜିଲ୍ଲା ସ୍ତରରେ ଗୋଟିଏ ସ୍କାର୍ଡ, ରାଜ୍ୟ ସ୍ତରରୁ ଗୋଟିଏ ସ୍କାର୍ଡ ଏବଂ ଜିଲ୍ଲାପାଳଙ୍କ ଏକ ସ୍କାର୍ଡ ଗଠନ କରାଯାଇଛି । ସେଭଳି ପ୍ରତ୍ୟେକ ନୋଡାଲ ପରୀକ୍ଷା କେନ୍ଦ୍ର ମାନଙ୍କରେ ଲଗାଯାଇଥିବା ସିସି କ୍ୟାମରା ବୋର୍ଡ ସହ ଲାଇଭ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ପୁଲିସ ନିୟୋଜିତ କରାଯାଇଛି । ପ୍ରଥମ ଦିନ କଳାହାଣ୍ଡି ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଦଶମବୋର୍ଡ ପରୀକ୍ଷା ସମାପ୍ତ ହୋଇଥିବା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.