ସର୍ବଭାରତୀୟ ମଠଖାଇ ମହୋତ୍ସବ-୨୦୨୩ର ଦ୍ୱିତୀୟ ସଂଧ୍ୟା : ମଠଖାଇ ସମ୍ମାନ ଗ୍ରହଣ କଲେ ସଫଳ ଛାତ୍ର ଆୟୁଷ, ମଂଚସ୍ଥ ହେଲା ବଙ୍ଗାଳୀ ନାଟକ ‘ଟିଟାସ୍ ଏକ୍ଟି ନଦୀର ନାମ୍’
ବଲାଙ୍ଗିର, (କେପିଏନ୍ଏସ୍) : ସର୍ବଭାରତୀୟ ମଠଖାଇ ମହୋତ୍ସବ-୨୦୨୩ର ଦ୍ୱିତୀୟ ସଂଧ୍ୟାର ପ୍ରାରମ୍ଭରେ ବଲାଙ୍ଗିର ରାଧାରାଣୀ କଳା ପରିଷଦର କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଛି ସାଂସ୍କୃତିକ କାର୍ୟ୍ୟକ୍ରମ ‘କରମ୍ସାନୀ’ । ଦର୍ଶକଙ୍କ ଉଲ୍ଲାସରେ ଉଛୁଳି ପଡ଼ିଛି କୋଶଳ କଳାମଣ୍ଡଳ । ସାଂସ୍କୃତିକ କାର୍ୟ୍ୟକ୍ରମ ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସଭାପତିତ୍ୱ କରିଛନ୍ତି ବିଶିଷ୍ଟ କଳାକାର ତଥା ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଡିଏଫ୍ଓ ନୀତିଶ କୁମାର ଏବଂ ସମ୍ମାନିତ ଅତିଥି ଭାବେ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ମଂଚ ନାଟକ କଳାକାର, ନିର୍ଦ୍ଦେଶକ ତଥା ଗବେଷକ ବ୍ରଜମୋହନ ମିଶ୍ର ଯୋଗଦାନ କରିଥିଲେ । ଅତିଥିମାନଙ୍କ ସହ ମଠଖାଇ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ସଂପାଦକ ରଶ୍ମିରଂଜନ ବକ୍ସି ମଂଚାସୀନ ହୋଇଥିବା ବେଳେ ଏହି ମଂଚରେ ୨୦୨୨ ମେଟ୍ରିକ ପରୀକ୍ଷାରେ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଶିକ୍ଷାର୍ଥୀ ଆୟୁଷ ମେହେରଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଛି । ଦ୍ୱିତୀୟ ସଂଧ୍ୟାର ମଂଚକୁ ରିନାଉନ୍ସ ଆରଟିଷ୍ଟ୍ ତଥା ଫିଲ୍ମ ଡାଇରେକ୍ଟର ସ୍ୱର୍ଗତ ସୁରେଖା ସିକ୍ରୀଙ୍କ ନାମରେ ସମର୍ପଣ କରାଯାଇଥିବା ଦେଖିବାକୁ ମିଳିଛି । ସାଧାରଣ ସଭା ପରେ ପରେ ମଂଚସ୍ଥ ହୋଇଛି ଅଦ୍ୱିତ୍ୱ ମଲ୍ଲାବରମନ୍ଙ୍କ ମୂଳ ଉପନ୍ୟାସରୁ ଗୃହୀତ ତଥା ପ୍ରବୀର ଗୁହାଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ବଙ୍ଗାଳୀ ନାଟକ ‘ଟିଟାସ୍ ଏକ୍ଟି ନଦୀର ନାମ୍’ । ପ୍ରବଳ ଶୀତ ଲହରୀ ସତ୍ୱେ ନାଟ୍ୟପ୍ରେମୀ ତଥା ବୁଦ୍ଧିଜୀବୀମାନେ ମଠଖାଇ ମହୋତ୍ସବ-୨୦୨୩ ଦ୍ୱିତୀୟ ସଂଧ୍ୟାକୁ ଆଗ୍ରହର ସହିତ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।