- ପଥୋତ୍ସବରେ ଉଲ୍ଲସିତ ବଲାଙ୍ଗିର
ବଲାଙ୍ଗିର, (କେପିଏନ୍ଏସ୍) : ୫ ଜାନୁୟାରୀ ୨୦୨୫ ଦିନ ସକାଳେ ସ୍ଥାନୀୟ ମଠଖାଇ ମନ୍ଦିରରେ ନାଟ୍ୟଦୀପର ପୂଜା କରି ଭୂମିକା ଓ ମଠଖାଇ ମହୋତ୍ସବର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ନାଟ୍ୟଦୀପକୁ କୋଶଲ କଳାମଣ୍ଡଲକୁ ଅଣାଗଲା । ସେହି ସ୍ଥାନରେ ମହୋତ୍ସବର ଅଧ୍ୟକ୍ଷ ତଥା ପୂର୍ବତନ ଆଇନ ମନ୍ତ୍ରୀ ତଥା ବିଧାୟକ ନରସିଂହ ମିଶ୍ର ଓ ମହୋତ୍ସବର ଉପଦେଷ୍ଟା ମଧୁସୂଦନ ପତି ଏହି ନାଟ୍ୟଦୀପକୁ ସ୍ଥାପନ କଲେ । ଏହି କାର୍ଯ୍ୟକ୍ରମରେ ସନାତନ ଠାକୁର, ବିଜୟ ତ୍ରିପାଠୀ, ଟୁନା ମହାନ୍ତି, ଭବାନୀ ଶତପଥି, ପ୍ରହଲ୍ଲାଦ ଶତପଥି, ଭୂମିକାର ସଭାପତି ଅଶୋକ ଦାସ, ବରିଷ୍ଠ ସଭ୍ୟ ରୁଦ୍ରଦେବ ପ୍ରଧାନ, ମହେନ୍ଦ୍ର ମଲ୍ଲିକ, ଚିତ୍ତରଞ୍ଜନ ଦାସ, ଅଖିଳ ହୋତା, ବୀରେନ୍ଦ୍ର ବନଛୋର, ଧର୍ମେନ୍ଦ୍ର ନନ୍ଦ, ବ୍ୟାସଦେବ ନନ୍ଦ, ନୟନ ମହାନ୍ତି, ପ୍ରିୟ ବହିଦାର, କୃଷ୍ଣଚନ୍ଦ୍ର ମହାପାତ୍ର, ରଶ୍ମିରଞ୍ଜନ ବକ୍ସି, ସୋମ ନାୟକ, ସୁରୁଲାଲ ମଟାରୀ, ଅଜୟ ବାଲି, ରାମ ଦାସ, ମୁରଲୀ ପତି, ଗୌର ମହାପାତ୍ର, ସଂଗ୍ରାମ ବହିଦାର, ଜୟକୃଷ୍ଣ ମିଶ୍ର, ବାସୁଦେବ ସା, ଲଳିତ ସାହୁ, ପ୍ରକାଶ ଦାସ, ଶକ୍ତି ମିଶ୍ର, ଚଗଲା ପରିଛା, ମାନସ ମହାନ୍ତି, ଟିଟୁ ରଣା, ଅଙ୍କିତ ସାହୁ, ବୁଲୁ ଦାନୀ ପ୍ରମୁଖ ସହଯୋଗ କରିଥିଲେ । ଏହାପରେ କୋଶଲ କଳାମଣ୍ଡଲରୁ ଏକ ବାଇକ ଶୋଭାଯାତ୍ରା ବାହାରି ସହରର ରୁଗୁଡ଼ିପଡ଼ା, ତୁଳସୀନଗର ପୂଜା ମଣ୍ଡପ, ପେଲେସ ଲାଇନ ପୂଜା ମଣ୍ଡପ, କଲେଜ ଛକ ପୂଜା ମଣ୍ଡପ, ସରକାରୀ ବସ୍ ଷ୍ଟାଣ୍ଡ, ପାଟଣେଶ୍ୱରୀ ମନ୍ଦିର ଓ ବିକ୍ରମ ଛକ ପୂଜା ମଣ୍ଡପରେ ଅନୁଷ୍ଠିତ ପଥୋତ୍ସବ କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ । ମଠଖାଇ ମହୋତ୍ସବର ପଥୋତ୍ସବ ଉପଲକ୍ଷେ ୫ ତାରିଖ ସକାଳୁ ସହରର ବିଭିନ୍ନ ସ୍ଥାନରେ ମଲମୁଣ୍ଡା ବଜାଶାଲ ଅନୁଷ୍ଠାନର ଦୂଲଦୁଲି, ଭାଲେର ସମଲେଶ୍ୱରୀ କଳାପରିଷଦର ଡାଲଖାଇ, କୁଟେନପାଲି ଭବାନୀଶଙ୍କର କଳାପରିଷଦର ଦଣ୍ଡ ନାଚ, ଝାରମୁଣ୍ଡା ଆଞ୍ଚଳିକ କଳାପରିଷଦର କଂସ ଦରବାର, ଆର୍.ଆର୍ କଲୋନୀର କରମସାନି, ଆଦିବାସୀ କଲୋନୀ ବାରପୁଡୁଗିଆର ମହିଳା ସଂକୀର୍ତନ ମଣ୍ଡଳୀ ଓ ବଲାଙ୍ଗିର ପଞ୍ଚମ ଅନୁଷ୍ଠାନ ତରଫରୁ ବିଭିନ୍ନ ନୃତ୍ୟ ଓ ସଂଗୀତର କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା । ଏହାଦ୍ୱାରା ସହରରେ ମହୋତ୍ସବର ଏକ ଭିନ୍ନ ବାତାବରଣ ପରିଲକ୍ଷିତ ହୋଇଥିଲା । ସନ୍ଧ୍ୟାରେ କୋଶଲି ନାଟକ ଅଦମଖୋର ପଦମପୁରଲୁ ନାଟ୍ୟସଂସ୍ଥା ତରଫରୁ ଓ ଡାଲଖାଇ ନାଚ ପରିବେଷିତ ହେବ ବୋଲି ଭୂମିକାର ସଭାପତି ଅଶୋକ ଦାସ ପ୍ରକାଶ କରିଥିଲେ ।