ଶୃଙ୍ଖଳାର ସହ ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ : ଡେଲାଙ୍ଗରେ ୭୩.୫୬% ମତଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ କାର୍ଯ୍ୟ ଶେଷ ହୋଇଛି । ତେବେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ କାଁ ଭାଁ ମତଦାନ ପ୍ରକ୍ରିୟା ସାମୟିକ ଭାବେ ବାଧାପ୍ରାପ୍ତ ହୋଇଥିବା ବେଳେ ଡେଲାଙ୍ଗ ବ୍ଲକରେ ୭୩.୫୬ ପ୍ରତିଶତ ମତଦାନ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୩ଟି ଜିଲ୍ଲା ପରିଷଦ ଜୋନ ଅଧିନ ୨୧ଟି ଗ୍ରାମ ପଞ୍ଚାୟତର ୨୯୧ୱାର୍ଡରେ ଭୋଟ ଗ୍ରହଣ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି । ସୂଚନାନୁଯାୟୀ ଡେଲାଙ୍ଗ ବ୍ଲକରେ ପୁରୁଷ ଭୋଟର ୫୨୬୭୮ ଓ ମହିଳା ଭୋଟର ୪୯୮୭୪କୁ ମିଶାଇ ସମୁଦାୟ ୧ଲକ୍ଷ ୨ହଜାର ୫୫୨ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଗତକାଲି ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହେବା ସୁଦ୍ଧା ୩୮୮୨୫ ପୁରୁଷ ଭୋଟର ଓ ୩୬୬୨୭ ମହିଳା ଭୋଟରଙ୍କୁ ମିଶାଇ ସମୁଦାୟ ୭୫୪୫୨ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ନେଇ ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ଭୋଟଗ୍ରହଣ କାର୍ଯ୍ୟ ଶେଷ ହେବା ପରେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟରେ ଅବସ୍ଥିତ ଷ୍ଟ୍ରଙ୍ଗରୁମରେ ଜଉମୁଦ ଦିଆଯାଇଥିବା ଭୋଟବାକ୍ସଗୁଡିକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଫେବୃଆରୀ ୨୬,୨୭ ଓ ୨୮ତାରିଖରେ ଜିଲ୍ଲା ପରିଷଦ ଜୋନୱାରୀ ଭୋଟ ଗଣତି କାର୍ୟ୍ୟ କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ ଯେ, ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୧୫ନଂ, ୧୬ନଂ ଓ ୧୭ନଂ ଏହି ୩ଟି ଜିଲ୍ଲା ପରିଷଦ ଜୋନରେ ୧୩ଜଣ ପ୍ରାର୍ଥୀ, ୨୦ଟି ପଞ୍ଚାୟତରେ ୭୬ଜଣ ସମିତିସଭ୍ୟ ପ୍ରାର୍ଥୀ, ୨୧ଟି ପଞ୍ଚାୟତରେ ୧୦୨ଜଣ ସରପଞ୍ଚ ପ୍ରାର୍ଥୀ ଏବଂ ୨୬୭ଟି ୱାର୍ଡ଼ ପାଇଁ ୫୩୧ଜଣ ୱାର୍ଡ଼ ସଭ୍ୟ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିବାବେଳେ ତହସିଲଦାର ନିବେଦିତା ପରିଡ଼ା, ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଓ ଥାନାଧିକାରୀ ଅନିଲ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ବାଚନ ପରିଚାଳନା କାର୍ୟ୍ୟ ସୁରୁଖୁରୁରେ ସମ୍ପାଦନ ହୋଇଛି । ନିର୍ବାଚନ କାର୍ୟ୍ୟରେ ନିୟୋଜିତ ସମସ୍ତ କର୍ମଚାରୀ ପରସ୍ପର ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ କାର୍ୟ୍ୟ ତୁଲାଇଥିବାରୁ ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.