ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଅନୁଷ୍ଠିତ ହେଉଅଛି । ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଜଗନ୍ନାଥପ୍ରସାଦ ଓ କବିସୂର୍ଯ୍ୟନଗର ଆଦି ବ୍ଳକ୍ରେ ମଙ୍ଗଳବାର ସକାଳେ ଭୋଟ ଗ୍ରହଣ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏନେଇ ସରକାରୀ ଅଫିସର, କର୍ମଚାରୀ ନିୟୋଜିତ ହେବା ସାଂଗକୁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ ୪ର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ନିମନ୍ତେ ୧୦୧ଟି ଗ୍ରାମ ପଞ୍ଚାୟତରେ ୧୨ଟି ଜିଲ୍ଲାପରିଷଦ ଆସନ, ୧୩୮୩ଟି ବୁଥ୍ରେ ୧୩୮୩ଟି ୱାର୍ଡ ସଦସ୍ୟଙ୍କ ନିମନ୍ତେ ୨ ଲକ୍ଷ ୪୫ ହଜାର ୧୦୪ ଜଣ ପୁରୁଷ ଭୋଟର ଏବଂ ୨ ଲକ୍ଷ ୧୮ ହଜାର ୮ଶହ ୮୦ ଜଣ ମହିଳା ଭୋଟରଙ୍କ ସମେତ ସର୍ବମୋଟ ୪ଲକ୍ଷ ୬୪ହଜାର ୨୧ଜଣ ଭୋଟର ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିବେ ଅବା ମତଦାନ କରିବେ ବୋଲି ଜଣାଯାଇଛି । ଏଥିପାଇଁ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ବିହିତ ପ୍ରସ୍ତୁତି ଜାରି ରଖିଛି । ୪ର୍ଥ ପର୍ଯ୍ୟୟରେ ହେବାକୁ ଥିବା ଅତି ସମ୍ବେଦନଶୀଳ ସ୍ଥାନ ଭାବେ ୧୦୬ ଟି ଏବଂ ସାଧାରଣ ସମ୍ବେଦନଶୀଳ ସ୍ଥାନଭାବେ ୧୦୧ ଟି ସ୍ଥାନକୁ ଚିହ୍ନଟ କରାଯାଇଥିବା ଜିଲ୍ଲା ପୋଲିସ ପ୍ରଶାସନ ସୂତ୍ରରୁ ପ୍ରକାଶ । ଏଥିପାଇଁ ସରପଞ୍ଚ ପ୍ରାର୍ଥୀରେ ୩୧୭ ଜଣ ଓ ସମିତି ସଭ୍ୟ ପ୍ରାର୍ଥୀରେ ୨୮୦ଜଣ ଏହି ୪ର୍ଥ ପର୍ଯ୍ୟାୟ ଭୋଟ ନିମନ୍ତେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ବୋଲି ସରକାରୀ ସୂତ୍ରରୁ କୁହାଯାଇଛି ।