ମାସିକ କ୍ଲଷ୍ଟର୍‌ସ୍ତରୀୟ ବୈଠକରେ ନବାଗତ ବିଇଓ ରୁଷିଆ ମେହେରଙ୍କୁ ତୁଷୁରା କ୍ଲଷ୍ଟର୍ ତରଫରୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ

ତୁଷୁରା, (କେପିଏନ୍‌ଏସ୍‌) : ଅଦ୍ୟ ପୂର୍ବାହ୍ନ ୧୧ ଘଟିକା ସମୟରେ ତୁଷୁରା ଆଞ୍ଚଳିକ ସାଧନ କେନ୍ଦ୍ରର କ୍ଲଷ୍ଟର୍‌ସ୍ତରୀୟ ମତ ଆଦାନ ପ୍ରଦାନ ବୈଠକ ସ୍ଥାନୀୟ ସରକାରୀ ବାଳିକା ନୋଡାଲ ହାଇସ୍କୁଲଠାରେ ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତୁଷୁରା କ୍ଲଷ୍ଟର୍ ଅନ୍ତର୍ଗତ ୧୦ଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ସିଆର୍‌ସିସି ଜଗ ମୋହନ ତ୍ରିପାଠୀ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ପର୍ଯ୍ୟବେକ୍ଷକ ଭାବରେ ଡାଏଟ୍ ସିଆର୍‌ସିସି କୋଡିନେଟର ଗୁଡଭେଲା ବ୍ଲକ୍ ଗୋପାଳ ଚନ୍ଦ୍ର ପ୍ରଧାନ ଓ ପେଡାଗୋଜି କୋଡିନେଟର ମଧୁମିତା ଦାଶ ଓ ପ୍ରୋଗ୍ରାମ କୋଡିନେଟର ଦେବେଶ ମିଶ୍ର ଯୋଗ ଦେଇଥିଲେ । ବୈଠକ ଶେଷରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଗୁଡଭେଲା ବ୍ଲକ୍‌ର ନବାଗତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ତୁଷୁରା କ୍ଲଷ୍ଟର୍ ତରଫରୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀମାନେ ସମୟାନୁବର୍ତ୍ତୀ ହୋଇ ନିଜର କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରିବାକୁ ବିଇଓ ଶ୍ରୀ ମେହେର ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ଏବଂ ଶିକ୍ଷା ବିଭାଗର ସମସ୍ତ ସମସ୍ୟାର ଆଶୁ ସମାଧାନ କରିବାକୁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ବିଆର୍‌ସିସି ତଥା ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ତୁଷୁରା କ୍ଲଷ୍ଟର୍‌କୁ ନୂତନ ଭାବେ ତୃତୀୟ ଶ୍ରେଣୀ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଥିବା ଆର୍ତ୍ତତ୍ରାଣ ବେହେରା, ଦୁତିଆ ସେଠ ଓ ମନ୍ମଥ ରାଜହଂସଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ଶିକ୍ଷକ ତଥା ଆଶୁକବି ହେମନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!