ମା’କୁ ବିଷ ପିଆଇ ମାରିଦେଲା ପୁଅ

ଭୋଗରାଇ, (କେପିଏନ୍‌ଏସ୍‌) : ଯେଉଁ ମା’ ନିଜ ଗର୍ଭରେ ଦଶମାସ ଧରି ପୁଅକୁ ଜନ୍ମ ଦେଇଥିଲା, ତାକୁ ପୁଣି ମାରିଦେଲା ପୁଅ । ଏକଥା ଅବିଶ୍ୱାସ୍ୟ ମନେ ହେଉଥିଲେ ବି ସତ । ଏମିତି ଘଟଣା ଦେଖିବାକୁ ମିଳିଛି ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ପାରୁଳିଆ ଗାଁର ୧୩ ନଂ ୱାର୍ଡ଼ରେ । ସୂଚନା ଅନୁଯାୟୀ, ପାରୁଳିଆ ଗ୍ରାମର ପଦ୍ମାବତୀ ଦଳାଇ(୭୬) ଓ ତାଙ୍କ ପୁଅ ଲଷ୍ମୀକାନ୍ତ ଦଳାଇ(୩୫)ଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହୁଥିଲା। ଗତକାଲି ରାତିରେ ପୁଅ ଲକ୍ଷ୍ମୀକାନ୍ତ ମା’ଙ୍କୁ ମାଡ଼ ମାରି ଘର ବାହାରକୁ ବାହାର କରି ଦେଇଥିଲା। ସକାଳେ ପଦ୍ମାବତୀ ଘରକୁ ଫେରିଥିଲେ। ତାପରେ ଲକ୍ଷ୍ମୀକାନ୍ତ ନିଜ ସ୍ତ୍ରୀକୁ ତାଙ୍କ ବାପ ଘରେ ଛାଡ଼ି ଦେଇ ଘରକୁ ଫେରିଥିଲା। ଏହାପରେ ପୁଅ ଲକ୍ଷ୍ମୀକାନ୍ତ ଘରକୁ ଆସି ନିଜ ମା’ଙ୍କୁ ଜବରଦସ୍ତ ମୁହଁରେ ବିଷ ପିଆଇ ଦେଇଥିଲା। ବିଷ ପିଆଇବାର କିଛି ସମୟ ପରେ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା। ତାପରେ ପାଖ ପଡ଼ୋଶୀ ଗାଁ ଲୋକେ ଜାଣିବା ପରେ ପଦ୍ମାବତୀକୁ ଉଦ୍ଧାର କରିବା ସମୟରେ ଲକ୍ଷ୍ମୀକାନ୍ତ ସେମାନଙ୍କୁୁ ମଧ୍ୟ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲା । ଫଳରେ ଗାଁ ଲୋକେ ଉତ୍ତେଜିତ ହୋଇ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ପଦ୍ମାବତୀଙ୍କ ନଣନ୍ଦ ତପୁ ରଣା କମର୍ଦ୍ଦା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ୭୯/୨୬ ରେ ମାମଲା ରୁଜୁ କରିବା ସହିତ ଲକ୍ଷ୍ମୀକାନ୍ତଙ୍କୁ ଅଟକ ରଖି ତଦନ୍ତ ଚାଲିଛି ବୋଲି ଆଇଆଇସି ଅର୍ପିତା ପ୍ରିୟଦର୍ଶିନୀ ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.