ଶ୍ରୀହରି ସ୍ପଞ୍ଜର ବେଆଇନ ନାଳ ପଶୁ ସମ୍ପଦ ପାଇଁ ସାଜିଛି ମରଣଯନ୍ତା : ସାଧାରଣରେ ଅସନ୍ତୋଷ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମ ପଞ୍ଚାୟତ ନିକଟରେ ଅବସ୍ଥିତ ଶ୍ରୀହରି ସ୍ପଞ୍ଜ ଆଇରନ କାରଖାନାର ଅର୍ଦ୍ଧ ନିର୍ମିତ ପାଚେରୀ ଓ ବେଆଇନ ଭାବେ ନିର୍ମିତ କୃତ୍ରିମ ନାଳ ଆଖପାଖ ୫ଟି ଗ୍ରାମର ପଶୁସମ୍ପଦ ସହ ମଣିଷ ପାଇଁ ମରଣଯନ୍ତା ପାଲଟିଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ କାରଖାନାର ପଶ୍ଚିମ ପାଖରେ ଚାଷ ଜମିକୁ ଲାଗି ରହିଥିବା ପ୍ଲଟ ନଂ ୧୬୨୯/ ୧୬୩୭/୨୫୩୨/ ନିକଟରେ ପାଚେରୀଟି ଦୀର୍ଘ ଦିନ ଧରି ଭଗ୍ନ ଓ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି । କାରଖାନା ପରିସରରେ ପାଉଁଶ ଓ କୋଇଲା ଗୁଣ୍ଡ ସବୁ ପାହାଡ଼ ଭଳି ଗଦା ହୋଇ ରହିଥିବା ବେଳେ ଟିକିଏ ପବନ କି ବର୍ଷା ହେଲେ ସମସ୍ତ ବର୍ଜ୍ୟବସ୍ତୁ ଏହି ଭଙ୍ଗା ପାଚେରୀ ଦେଇ ଚାଷ ଜମିକୁ ମାଡ଼ି ଯାଉଛି । ତା’ସହିତ କାରଖାନା କର୍ତ୍ତୃପକ୍ଷ ବେଆଇନ ଭାବେ ଏକ କୃତ୍ରିମ ନାଳ ତିଆରି କରି କାରଖାନାର ବର୍ଜ୍ୟବସ୍ତୁ ଓ ବିଷାକ୍ତ ଜଳକୁ ଚାଷ ଜମିକୁ ଛାଡି ଦେଉଛି । ଯାହା ଫଳରେ ସମସ୍ତ ଚାଷ ଜମି ପ୍ରଦୂଷିତ ହେବା ସହ ଧନଜୀବନ ଉପରେ ମଧ୍ୟ ଏହାରକୁ ପ୍ରଭାବ ପଡୁଛି । କେନ୍ଦ୍ରିକଳା ପଞ୍ଚାୟତରେ ବସବାସ କରୁଥିବା ଲୋକମାନେ ବର୍ଷ ବର୍ଷ ଧରି ପ୍ରଦୂଷଣର ଶିକାର ହୋଇ ଦୟନୀୟ ଜୀବନ ଯାପନ କରୁଥିଲେ ମଧ୍ୟ ଆଜିଯାଏଁ କାରଖାନା ଉପରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟନେୁଷ୍ଠାନ ଗ୍ରହଣ କରାଯାଉନାହିଁ । ନାଳ ଚତୁଃପାର୍ଶ୍ଵରେ କୌଣସି ପ୍ରକାର ବାଡର ବ୍ୟବସ୍ଥା ନଥିବା ଯୋଗୁଁ ବିଗତ ଏକ ବର୍ଷ ମଧ୍ୟରେ ଗ୍ରାମର ୪/୫ ଟି ଗାଈ, ବଳଦ ସେହି ବର୍ଜ୍ୟ ନାଳରେ ପଡ଼ି ମୃତ୍ୟୁବରଣ କରି ସାରିଛନ୍ତି । ଗତ ଦୁଇ ଦିନ ପୂର୍ବରୁ ଗ୍ରାମର ଲୋକନାଥ ସାମଲଙ୍କ ଏକ ଗାଈ ଏହି ନାଳରେ ଦୀର୍ଘ ୫ ଦିନ ଧରି ଫସି ରହି ଶେଷରେ ମୃତ୍ୟୁବରଣ କଲା । ବାରମ୍ବାର ଏସବୁ ଦୁର୍ଘଟଣା ଘଟି ଚାଲିଥିଲେ ମଧ୍ୟ କାରଖାନା କର୍ତ୍ତୃପକ୍ଷ ସେଥିପ୍ରତି ଧ୍ୟାନ ଦେଉନଥିବା ଜଣାପଡିଛି । ଚାଷ କାର୍ଯ୍ୟ ସମୟରେ ସେହି ନିକଟ ଦେଇ ଯିବା ଆସିବା କରିବା ସମୟରେ କେତେବେଳେ ମଣିଷ ଯେ ଦୁର୍ଘଟଣାର ସମ୍ମୁଖିନ ନହେବ ତାହା କହି ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ତେଣୁ ଆଗାମୀ ଦିନରେ କାରଖାନା କର୍ତ୍ତୃପକ୍ଷଙ୍କ ଏହିଭଳି ମନମୁଖୀ କାର୍ଯ୍ୟକୁ ଧ୍ୟାନରେ ରଖି ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଏ ସମସ୍ତ ବେଆଇନ କାର୍ଯ୍ୟକୁ ବନ୍ଦ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.