ମରଣଯନ୍ତା ପାଲଟିଛି ଡଭା ଜଗଦଲପୁର ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଜଗଦଲପୁର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ମରଣଯନ୍ତାରେ ପରିଣତ ହୋଇଛି । ନୀତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏହି ରାସ୍ତାରେ ଯାତାୟାତ କରୁଛନ୍ତି । ଡଭାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରାଜସ୍ୱ କାର୍ଯ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ୟାକ୍ସ , ବ୍ୟାଙ୍କ ତଥା ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଶହ ଶହ ସଂଖ୍ୟାରେ ଲୋକେ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି । ରେଳରେ ଯିବା ପାଇଁ ହେଲେ ନୂଆପଡ଼ା ଜିଲ୍ଲାର ଖରିଆର ରୋଡ଼ରେ ଥିବା ରେଳ ଷ୍ଟେସନ ହେଉଛି ଏକମାତ୍ର ଷ୍ଟେସନ । ଏହି ଷ୍ଟେସନକୁ ଡଭା ଅଞ୍ଚଳ ସହ ଛତିଶଗଡ଼ର ଲୋକେ ବ୍ୟବହାର କରୁଛନ୍ତି । ହେଲେ ଏହି ଖାଲଖମା ଯୋଗୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ବିଶେଷଜ୍ଞ ଡାକ୍ତର ନ ଥିବାରୁ ଏବଂ ନୂଆପଡା ଜିଲ୍ଲା ପାଖ ପଡ଼ୁଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିବା ପାଇଁ ମଧ୍ୟ ଏହି ରାସ୍ତାରେ ଲୋକେ ଯାଉଛନ୍ତି । ଛତିଶଗଡ଼ର ବସନା ଓ ସରାଇପାଲି ହେଉଛି ଓଡ଼ିଶା ଏବଂ ଛତିଶଗଡ଼ର ବ୍ୟବସାୟୀକରଣର ସମନ୍ୱୟ ସ୍ଥଳ । ଏଣୁ ଏହି ସହରକୁ ପ୍ରତ୍ୟହ ଶହ ଶହ ସଂଖ୍ୟାରେ ଲୋକେ ଯିବା ଆସିବା କରୁଛନ୍ତି । ଏମିତି ବ୍ୟସ୍ତ ବହୁଳ ରାସ୍ତାର ଠିକ ଭାବରେ ଠିକ ସମୟରେ ମରାମତି କରାଯାଉନଥିବାରୁ ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି । ଯଥାଶୀଘ୍ର ଏହି ରାସ୍ତାର ମରାମତି ସହ ଉନ୍ନତିକରଣ ପାଇଁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.