ବଲାଙ୍ଗିର, (କେପିଏନ୍ଏସ୍) : ମରଣଯନ୍ତା ପାଲଟିଛି ବଲାଙ୍ଗିର ରିଙ୍ଗ୍ ରୋଡ଼୍ । ଶାନ୍ତିପଡ଼ାର କେତେଜଣ ସ୍ୱେଚ୍ଛାସେବୀ ମିଶି ଆଜି ସକାଳୁ ସକାଳୁ ରାସ୍ତା ସମତଳ କରୁଥିବା ଦେଖିବାକୁ ମିଳିଛି । ଶାନ୍ତିପଡ଼ା ଛକରୁ ଆର୍ଟିଓ ଛକକୁ ସିଧାସଳଖ ସଂଯୋଗ କରୁଥିବା ରିଙ୍ଗ ରୋଡ଼୍ରେ ବ୍ରିଜ୍ କାମ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ବେଳେ ଲୋକେ ଯିବା ଆସିବା କରିବା ପାଇଁ ଏକ କାମଚଳା ରାସ୍ତା ତିଆରି କରାଯାଇଛି । ବର୍ଷା ଯୋଗୁଁ ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବା ହେତୁ ଏହି ରାସ୍ତା ଦେଇ ଯା’ଆସ କରୁଥିବା ବାଇକ୍ ଆରୋହୀମାନେ ହଇରାଣ ହେଉଥିବା ବେଳେ କାଁ ଭାଁ କିଏ କେମିତି ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଏଭଳି ଅବସ୍ଥା ଦେଖି ବଲାଙ୍ଗିର ଶାନ୍ତିପଡ଼ାର ଦୀଲିପ କୁମାର କୁଅଁର, ଶିବା, ବିକାଶ, ମୁଟ୍କୁ ପ୍ରମୁଖ କିଛି ଯୁବକ ଆଜି ସକାଳୁ ସକାଳୁ ଏହି ରାସ୍ତା ସମତଳ କରିବା ପାଇଁ ଅଂଟା ଭିଡ଼ିଥିବା ଦେଖିବାକୁ ମିଳିଛି ।