ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତର କଛାରପାଲି ବନ୍ଧକୁ ଯାଇଥିବା କଂକ୍ରିଟ ରାସ୍ତା ନିର୍ମାଣ ବେଳେ ନିମ୍ନମାନର କାମ ହୋଇଥିବାରୁ ଫାଟି ଚୁର ମାର ହେଉଥିବାର ଅଭିଯୋଗ ହେଉଛି । ଦେଓଗାଁ ଜାତୀୟ ରାଜପଥ ୨୬ କ୍ଳବ ଛକ ଠାରୁ କନ୍ଧପାଲିକୁ ଯାଇଥିବା ବନ୍ଧ ରାସ୍ତାରେ ଗତ ୨୦୧୫/୧୬ ମସିହାରେ ଦୁଇଟି ପର୍ୟ୍ୟାୟରେ ୫ ଲକ୍ଷ ଟଙ୍କା ବ୍ୟୟରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା । ତାହା ପୁଣି କନ୍ଧପାଲିରୁ ମୁଣ୍ଡା ଆଡ଼ି ପର୍ୟ୍ୟନ୍ତ । ଏବେ ଏହି ରାସ୍ତାର ବିଭିନ୍ନ ସ୍ଥାନରେ କଂକ୍ରିଟ ଫାଟି ଆଁ କରିଛି । ପ୍ରତିଦିନ ବନ୍ଦ ରାସ୍ତାରେ ଛୁଆଠୁ ବୁଢା ପର୍ୟ୍ୟନ୍ତ ଯିବା ଆସିବା କରି ଗାଧୋଇ ଆସିଥାନ୍ତି । ବିଶେଷ କରି ମହିଳାମାନେ ମୁଣ୍ଡରେ କପଡ଼ା ବୋହି ଯିବା ଆସିବା ବେଳେ ଦୁର୍ଘଟଣା ସମ୍ମୁଖୀନ ହେଉଛନ୍ତି । ଏନେଇ ଦେଓଗାଁ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ହେମନ୍ତ ବିଭାରକୁ ପଚାରିବାରୁ ରାସ୍ତା ଖରାପ ହୋଇଥିବା ଜାଣି ନ ଥିଲି ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ଲୋକଙ୍କ ଗମନାଗମନକୁ ଦୃଷ୍ଟିରେ ରଖି କଞ୍ଚା ରାସ୍ତାଗୁଡିକୁ କଂକ୍ରିଟ କରଣ କରାଯାଉଛି । କିନ୍ତୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର ରାସ୍ତା କାମ ହୋଇ ଥିବାରୁ ଫାଟିଯାଉଛି । ଦେଓଗାଁ ବନ୍ଧ ଆଡ଼ିକୁ ସଫାସୁତୁରା କରି ଫାଟି ଥିବା ସ୍ଥାନକୁ ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି ।
Prev Post