ଟ୍ଵିଟର ଗାର୍ଲ ଦୀପାଙ୍କ ପ୍ରୟାସରେ ଦୀର୍ଘଦିନ ଧରି ଅବହେଳିତ ପାଇକମାଲ ନବୋଦୟ ବିଦ୍ୟାଳୟ ରାସ୍ତା ହେବ ମରାମତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ସଦାସର୍ବଦା ତତ୍ପର ରହୁଥିବା ସ୍ୱେଚ୍ଛାସେବୀ ଦୀପା ବାରିକ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ପରିପ୍ରେକ୍ଷୀରେ ଟ୍ଵିଟର ଗାର୍ଲ ଦୀପାଙ୍କ ପ୍ରୟାସରେ ଦୀର୍ଘଦିନ ଧରି ଅବହେଳିତ ପାଇକମାଲ ନବୋଦୟ ବିଦ୍ୟାଳୟ ରାସ୍ତା ମରାମତି ହେବ ବୋଲି ଜଣାପଡିଛି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲଠାରେ ଥିବା ବରଗଡ଼ ଜିଲ୍ଲାର ନବୋଦୟ ବିଦ୍ୟାଳୟକୁ ଯିବା ପାଇଁ ଏକମାତ୍ର ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡିରହିଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମ ଜରିଆରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ଏହି ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିଲା । କିନ୍ତୁ ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ତଥା ଟ୍ୱିଟର ଗାର୍ଲ ଭାବେ ପରିଚିତ ଦୀପା ବାରିକଙ୍କ ହସ୍ତକ୍ଷେପ ପରେ ରାସ୍ତା ନିର୍ମାଣ ପାଇଁ ବାଟ ଫିଟିଛି । ଦୀପାଙ୍କୁ କିଛି ସ୍ଥାନୀୟ ଜନସାଧାରଣ ଏହି ସମସ୍ୟା ସମ୍ପର୍କରେ ଜଣାଇବା ପରେ ସେ ଗତବର୍ଷ ନଭେମ୍ବର ୨୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ, ଯାହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ଜଳସେଚନ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏକ ତଦନ୍ତ ହୋଇ ସତ୍ୟାସତ୍ୟ ଅନୁଧ୍ୟାନ କରାଯାଇ ଘଟଣାର ସତ୍ୟତା ଥିବା ଜଣାପଡିଥିଲା । ପଦ୍ମପୁର ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ଏନେଇ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି ଯେଉଁଥିରେ ଲେଖାଯାଇଛି ଯେ, ଆସନ୍ତା ୭ ଦିନ ମଧ୍ୟରେ ଏକ ବ୍ୟୟ ଆକଳନ କରାଯିବ ଏବଂ ଉକ୍ତ ୬୦୦ ମିଟର ରାସ୍ତାକୁ ଅଳ୍ପ ସମୟ ମଧ୍ୟରେ ମରାମତି କରାଯିବ ବୋଲି ଲିଖିତ ପ୍ରତିଶୃତି ମିଳିଛି । ଏହି କଦର୍ଯ୍ୟ ରାସ୍ତା ଯୋଗୁଁ ନବୋଦୟ ବିଦ୍ୟାଳୟ ଉପରେ ନିର୍ଭରଶୀଳ ଶତାଧିକ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସ୍ଥାନୀୟ ଲୋକମାନେ ଅସୁବିଧା ଭୋଗ କରୁଥିଲେ । ଏହାର ମରାମତି ପାଇଁ ଏକ ମହତ ପଦକ୍ଷେପ ଗ୍ରହଣ କରିଥିବାରୁ ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ସମସ୍ତେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.