ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗରେ ଜଣେ ଗିରଫ, କୋର୍ଟ ଚାଲାଣ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗରେ ଗୋଛାପଡା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନାମ ଲାଙ୍ଗୁସା କହଁର (୪୮) ଓ ତାର ଘର ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ ଡୁବାସାରୁ ଗ୍ରାମ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ସେ ଏହି ଅଞ୍ଚଳରେ ଥିବା ମାଓବାଦୀଙ୍କୁ ରାସନ ସାମଗ୍ରୀ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଯୋଗାଇ ଦେଉଥିଲା । ଏଥି ସହ ସଂପୃକ୍ତ ଅଞ୍ଚଳରେ ଯୁବକମାନଙ୍କୁ ମାଓ ସଂଗଠନରେ ସାମିଲ ହେବା ପାଇଁ ପ୍ରରୋଚନା କରିବା ସହ ଗାଁ ମାନଙ୍କରରେ ସଭାସମିତି ଆୟୋଜନ କରୁଥିଲା । ଗତ ଏପ୍ରିଲ ୪ ତାରିଖରେ କଲମପଡାଠାରେ ପୁଲିସ ମାଓବାଦୀ ଗୁଳି ବିନିମୟ ବେଳେ ଅଭିଯୁକ୍ତ ସେଠାରେ ଉପସ୍ଥିତ ଥିବା ପୁଲିସ ଜାଣିପାରିଛି । ଅଭିଯୁକ୍ତ ଲାଙ୍ଗୁସାକୁ ଗୋଚ୍ଛାପଡା ପୁଲିସ ଗିରଫ କରିବା ସହ ଅଭିଯୁକ୍ତ ବିରୋଧରେ କେସ ନଂ ୨୯/୨୧ ପ୍ରକାରେ ଏକ ମକଦ୍ଦମା ରୁଜ୍ଜୁକରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.