
ମାଲକାନଗିରି : ପୁଣି ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେ ହେଲେ ରୋଶନୀ ଓରଫ ଉଙ୍ଗି ମାଡଭି । କୁଖ୍ୟାତ ମହିଳା ମାଓବାଦୀ ଉଙ୍ଗି ମାଡଭି ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏନେଇ ମାଲକାନଗିରି ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମାଲକାନଗିରି ଏସ୍ପିଙ୍କ ସୂଚନା ଅନୁଯାୟୀ, ଉଙ୍ଗି ମାଡଭିଙ୍କ ଘର ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲା ପିତଦଵା ଗାଁରେ । ସେ ୨୦୧୬ରେ ମାଓ ସଂଗଠନରେ ଯୋଗ ଦେଇଥିଲେ । ସଂଗଠନରେ ରହି ଛତିଶଗଡ଼ ଏବଂ ଓଡ଼ିଶାରେ ୨୧ରୁ ଅଧିକ ହିଂସାକାଣ୍ଡରେ ସାମିଲ ଥିଲେ । ଉଙ୍ଗିଙ୍କ ନାଁରେ ଓଡ଼ିଶା ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ନିବେଦନକ୍ରମେ ସେ ମାଓ ସଂଗଠନ ଛାଡ଼ି ଆତ୍ମସମର୍ପଣ କରିଥିବା କହିଛନ୍ତି ଉଙ୍ଗି ମାଡଭି । ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ଉଙ୍ଗି ମାଡଭିଙ୍କୁ ଥଇଥାନ କରାଯିବ ବୋଲି ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି ।