ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଲାଲ ତାଣ୍ଡବ । ମାଓବାଦୀମାନେ କ୍ରସରରେ ଥିବା ୨ଟି ପ୍ରୋକଲିନ ମେସିନ, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ ଗାଡି ଜାଳି ଦେଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ସୂଚନାନୁଯାୟୀ, ଶୁକ୍ରବାର ରାତିରେ ମହିଳା କ୍ୟାଡରଙ୍କ ସମେତ ୧୦ରୁ ଅଧିକ ସଶସ୍ତ୍ର ମାଓବାଦୀ ମୁନିଗୁଡ଼ା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଆକ୍ରମଣ କରିଥିଲେ । ପ୍ରଥମେ ୫ ଜଣ ମାଓବାଦୀ ସିକ୍ୟୁରିଟି ସମେତ ଅନ୍ୟ କର୍ମଚାରୀଙ୍କୁ ଗେଟ ପାଖରେ ରଖି ସେମାନଙ୍କଠାରୁ ମୋବାଇଲ ନେଇଯିବା ପରେ ଅନ୍ୟ ମାଓବାଦୀମାନେ କ୍ରସରରେ ଥିବା ମେସିନ ଗୁଡିକରେ ନିଆଁ ଲଗାଇ ଦେଇଥିଲେ । ମାଓବାଦୀମାନେ କ୍ରସରରେ ଥିବା ଦୁଇଟି ପ୍ରୋକ୍ଲିନ ମେସିନ୍, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ଟି ଗାଡି ଜାଳି ଦେଇଛନ୍ତି ।
ମାଓବାଦୀମାନେ ଯିବା ସମୟରେ ପୋଷ୍ଟର ଛାଡି ଯାଇଛନ୍ତି । କ୍ରସର ଦ୍ୱାରା ପରିବେଶ ପ୍ରଦୂଷଣ ସହ ଚାଷ କ୍ଷତି, ଭାରିଯାନ ଯାତାୟତ ଯୋଗୁଁ ରାସ୍ତା ନଷ୍ଟ, ପଥର ବ୍ଲାଷ୍ଟିଂ ଯୋଗୁଁ ପିଲାଙ୍କ ଶ୍ରବଣ ଶକ୍ତି ନଷ୍ଟ ହେଉଥିବା ପୋଷ୍ଟରରେ ଲେଖାଯାଇଛି । ଏହି ଘଟଣା ବଂଶଧାରା ଘୁମୁସର ନଗାବଳୀ ଡିଭିଜନ ତରଫରୁ ହଟାଇଥିବା ଉଲ୍ଲେଖ ରହିଛି । ଖବର ପାଇ ମୁନିଗୁଡା ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।