oom

ଶିବତଲାକୁ ନୂତନ ବ୍ଲକ ମାନ୍ୟତା ଦାବି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂପ୍ରତି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲାକୁ ଏକ ନୂତନ ବ୍ଲକ ଭାବରେ ଗଠନ କରିବାକୁ ଦାବି କରାଯାଇଛି । ସଦର ବ୍ଲକର ୧୪ଟି ଗ୍ରାମ ପଂଚାୟତକୁ ନେଇ ଏକ ନୂତନ ବ୍ଲକ ଭାବରେ ମାନ୍ୟତା ଦେବାକୁ ଉକ୍ତ ପଂଚାୟତବାସୀଙ୍କ ପକ୍ଷରୁ ପ୍ରଶାସନ ମାର୍ଫତ୍‌ରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ଗତ ୨୯ ତାରିଖ ଏହାର ପ୍ରସ୍ତାବିତ ବ୍ଲକ ସଦର ମହକୁମା ଶିବତଲା ହାଇସ୍କୁଲ ପଡିଆ ଠାରେ ଏହି ସବୁ ପଂଚାୟତର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ଆଗାମୀ ଦିନରେ ସମସ୍ତ ପଂଚାୟତର ସରପଂଚ, ସମିତି ସଭ୍ୟ, ୱାର୍ଡମେମ୍ବର ମାନଙ୍କୁ ନେଇ ଦାବି କରାଯିବାକୁ ନିଷ୍ପତ୍ତି ନେବା ପରେ ସନ୍ଧ୍ୟାରେ ପ୍ରସ୍ତାବିତ ବ୍ଲକ କମିଟି ଆବାହକ ଡା. ବାସୁଦେବ ପତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସାମ୍ବାଦିକ ଭବନରେ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଉକ୍ତ ଦାବିର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସମ୍ପର୍କରେ ଘୋଷଣା କରାଯାଇଥିଲା । ଏହି ଅନୁଯାୟୀ ଶିବତଲା ଠାରେ ଗମନାଗମନ, ସ୍ୱାସ୍ଥ୍ୟକେନ୍ଦ୍ର, ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ପ୍ରକାରର ସୁବିଧା ସୁଯୋଗ ରହିଥିବାରୁ ଏହା ହିଁ ବ୍ଲକ ସଦର ମହକୁମା ନିମନ୍ତେ ଉପଯୁକ୍ତ ବୋଲି ପ୍ରକାଶ । ଏହି ପ୍ରସ୍ତାବିତ ଗ୍ରାମ ପଂଚାୟତ ଗୁଡିକ ହେଲା ଶିବତଲା, ଭୁଣ୍ଡିମୁହାଣ, ମାୟାବର୍ହା, ଚୁଡାପଲି, ତୁଷୁରାବାହାଲ, ଖୁଣ୍ଟପାଲି, ବାରପୁଡୁଗିଆ, ବୈଦିପାଲି, ବିଡିଘାଟ, ଚିକଲବାହାଲ, କୁଡାସିଂହା, ଭୁତିଆରବାହାଲ, ସାହାଜବାହାଲ, ଶିକାଛିଡା, ଡୁମେରପିଟା, ରାମଚନ୍ଦ୍ରପୁର ଓ ବ୍ରାହ୍ମଣୀଯୋର । ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ନାଗରିକ କମିଟି ସଭାପତି ଡ. ଶ୍ରୀକର ମିଶ୍ର, ପୂର୍ବତନ ସଭାପତି ଇଂ. ବେଲାର ସିଂ ଭୋଇ, ଜିଲ୍ଲା କୃଷକ ମହାସଂଘ ସାଧାରଣ ସମ୍ପାଦକ ସୌମେନ୍ଦ୍ର ପରିଚ୍ଛା, ଗ୍ରାମ କମିଟି ମୁଖ୍ୟ ଛବିଳ ପୂଜାରୀ, କଳାକାହ୍ନୁ ବେହେରା ପ୍ରମୁଖ ମଂଚାସୀନ ଥିବାବେଳେ ଅଶୋକ କୁମାର ବେହେରା, ନିରଞ୍ଜନ ମେହେର, ବାଳକୃଷ୍ଣ ବେହେରା, ସରପଂଚ ଶୁଭକାନ୍ତୀ ମାଝି, ଜଗବନ୍ଧୁ ରଣା, ମଧୁସୁଦନ ଭୋଇ, ଲୋକନାଥ ବେହେରା, ଘାସିରାମ ଦୀକ୍ଷିତ ଓ ଅନ୍ୟାନ୍ୟ ଭଦ୍ରବ୍ୟକ୍ତିଗଣ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ପଂଚାୟତିରାଜ ମନ୍ତ୍ରୀ, ଜିଲ୍ଲାପାଳ ପ୍ରମୁଖଙ୍କ ସମ୍ମୁଖରେ ଦାବି ଉପସ୍ଥାପନ କରାଯିବ ବୋଲି ଡା. ପତି ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.