
- ରାଜ୍ୟ ସରକାର ଓ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ ସରକାର ରାଜ୍ୟର ୨୦ଟି ସ୍ଥାନକୁ ଚିହ୍ନଟ କରି ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପ୍ରଦାନ କରିଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଦେଷଣ୍ଢ ଅନ୍ତର୍ଗତ ଚାନ୍ଦିଲି ପାହାଡକୁ ମଧ୍ୟ ସାମିଲ କରାଯାଇଛି । ଗତ ୧୦ ତାରିଖରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା ତାଙ୍କ ପତ୍ରସଂଖ୍ୟା ୨୨୬୧/୨୦୨୫ରେ ଜିଲ୍ଲାପାଳମାନଙ୍କୁ ଦେଇଥିବା ଚିଠିରେ ରାଜ୍ୟର ୨୦ଟି ସ୍ଥାନକୁ ପର୍ଯ୍ୟଟନ ସ୍ଥଳି ଘୋଷଣା କରାଯାଇଥିବା ଜଣାଯାଇଛି । ଏଥିରେ ୨ ନମ୍ବରରେ ସୋନପୁର ଜିଲ୍ଲାର ମାଁ ମେଟାକାନୀ ପୀଠ ରହିଥିବା ବେଳେ ୧୦ନମ୍ବରରେ ବଲାଙ୍ଗିର ଜିଲ୍ଲାର ଚାନ୍ଦିଲି ପାହାଡ ରହିଛି । ଦୀର୍ଘ ୪ ବର୍ଷର ଉଦ୍ୟମରେ ଦେଷଣ୍ଢ ଅଞ୍ଚଳବାସୀ ଏହାକୁ ହାସଲ କରିପପାରିଛନ୍ତି । ସେଥିପାଇଁ ଅଞ୍ଚଳବାସୀ ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶ ଯେ, ଦେଷଣ୍ଢ ଅଞ୍ଚଳବାସୀ ବହୁବର୍ଷ ହେଲା ନୂଆବର୍ଷରେ ଚାନ୍ଦିଲି ପାହାଡଠାରେ ପୂଜାର୍ଚ୍ଚନା କରି ଆସୁଥିଲେ । ଗତ ୩ବର୍ଷ ହେଲା ଏଠାରେ ଚାନ୍ଦିଲି ମହୋତ୍ସବ ଆୟୋଜିତ ହୋଇଆସୁଛି । ପୂର୍ବରୁ ଥିବା ନବୀନ ପଟ୍ଟନାୟକ ସରକାର ସମୟରେ ଏହି ସ୍ଥାନର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ଏହା ବାଦ ବଲାଙ୍ଗିର-ମୁରିବାହାଲ ମୁଖ୍ୟ ପୂର୍ତ୍ତ ରାସ୍ତାଠାରୁ ଚାନ୍ଦିଲି ପାହାଡକୁ ୩.୫ କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ରାସ୍ତାକାମ ଚାଲିଛି । ଏପର୍ଯ୍ୟନ୍ତ ଚାନ୍ଦିଲି ପାହାଡ ଉପରକୁ ପାହାଚ, ପାହାଡ ଉପରେ ଏକ ମଣ୍ଡପ, ତଳେ ଏକ ମଣ୍ଡପ ନିର୍ମାଣ ହୋଇଛି ଓ ପାନୀୟଜଳର ବ୍ୟବସ୍ଥା ମଧ୍ୟ କରାଯାଇ ପାରିଛି । ଆଗକୁ ଆଉ ୧୦କୋଟି ଟଙ୍କାର ଅନୁଦାନ ଦେବାକୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ସେହିପରି ଚାନ୍ଦିଲି ପାହାଡ ନିକଟରେ ଥିବା ଭୁଲିଆକଟା ବା ମେହେରକଟାର ଉନ୍ନତିକରଣ ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ୬ କୋଟି ୭୬ ଲକ୍ଷ ଟଙ୍କାର ଡିପିଆର୍ ରାଜ୍ୟ ସରକାରଙ୍କୁ ପଠାଯାଇଛି । ଚାନ୍ଦିଲି ପାହାଡରେ ବହୁ ପୁରାତନ ଗୁମ୍ଫା ରହିଥିବା ବେଳେ ସେଠାରେ ଶିଳାଚିତ୍ର ଗୁଡିକ ମଧ୍ୟ ରହିଛି । ସତ୍ୟ ବଟବୃକ୍ଷ, ସୀତା କୁଣ୍ଡ, ସପ୍ତଫେଣୀନାଗ ପଥର ଇତ୍ୟାଦି ରହିଛି । ଚାନ୍ଦିଲି ପାହାଡରେ ପ୍ରତିବର୍ଷ ନୂଆବର୍ଷରେ ନାମଯଜ୍ଞ ସହିତ ମହିମା ସାଧୁଙ୍କ ଦ୍ୱାରା ଅଖଣ୍ଡଧୂନୀ ଯଜ୍ଞ ମଧ୍ୟ ହୋଇଥାଏ । ବଲାଙ୍ଗିର ବନଖଣ୍ଡର କିରିବାଞ୍ଜି ରିଜର୍ଭ ଜଙ୍ଗଲ ଭିତରେ ଥିବା ଏହି ପ୍ରାକୃତିକ ମନୋରମ ସ୍ଥଳିକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେଇଥିବାରୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି । ଚାନ୍ଦିଲି ମହୋତ୍ସବ କମିଟିର ସଭାପତି ତଥା ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ସଂଗଠକ ଘାସିରାମ ରଣା, ସରପଞ୍ଚ ଯଶୋଦା ମେହେର, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ସାଏ, ସ୍ୱୟମ୍ବର ମେହେର, ରାଧେଶ୍ୟାମ ମେହେର, ପ୍ରଦ୍ୟୁମ୍ନ ଷଢଙ୍ଗୀ, ଦୀନବନ୍ଧୁ ମେହେର, ରଘୁ ରଣା, ଅଶୋକ କୁମାର ସାଏ, ଇନ୍ଦ୍ରଜିତ ରାଉତ, କଳାକାର ବେହେରା, ଜ୍ୟୋସ୍ନା ନାଏକ, ସନ୍ତୋଷିନୀ ରଣା, ବିଦ୍ୟାଧର ନାଏକ, ରବିନ୍ଦ୍ର ସାଏ, ରାଜେନ୍ଦ୍ର ସାଏ, ମନୋରଂଜନ ନାଏକ, ତ୍ରିଲୋଚନ ରଣା ଓ ଗୌରାଙ୍ଗ ମେହେର ପ୍ରମୁଖ ରାଜ୍ୟ ସରକାର, ବଲାଙ୍ଗିର ବିଧାୟକ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ।