ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୩୪ ଗୋଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି । ତା’ସହ ୫ଗୋଟି ବିଜ୍ଞାପିତ ଅଂଚଳ ପରିଷଦକୁ ପୌରାଞ୍ଚଳ ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ କରିବା ପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ଲୋକମାନେ ଦାବି କରିଥିଲେ । ହେଲେ ସରକାର ବଙ୍ଗୋମୁଣ୍ଡା ଅଞ୍ଚଳବାସୀଙ୍କୁ ନିରାଶ କରିଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ବିଧାନସଭାରେ ବିଭିନ୍ନ ସମୟରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଛନ୍ତି । ଏନେଇ ବିଭାଗୀୟ ମନ୍ତ୍ରୀ ବଙ୍ଗୋମୁଣ୍ଡାକୁ ବିଜ୍ଞାପିତ ଅଂଚଳ ପରିଷଦ କରିବା ପାଇଁ ପ୍ରସ୍ତାବ ଅଛି ବୋଲି କହିଥିଲେ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଙ୍ଗୋମୁଣ୍ଡାକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରି ନଥିବାରୁ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଓଡିଶା ସରକାର ବଙ୍ଗୋମୁଣ୍ଡା ପ୍ରତି ଅନ୍ୟାୟ କରିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ବିଭିନ୍ନ ସମୟରେ ରାସ୍ତାରୋକ, ବଙ୍ଗୋମୁଣ୍ଡାକୁ ବନ୍ଦ ପାଳନ ସହ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଛି ହେଲେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସଂଗଠନ ।