
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ ଅଧୀନସ୍ଥ ବେଣ୍ଟକାରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗବନ୍ଧୁ ବାବୁଙ୍କୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ପାଇବା ପାଇଁ ମନୋନୀତ କରାଯାଇଛି । ଶୁକ୍ରବାର ଗୁରୁଦିବସରେ ବରଗଡ ବିଜ୍ଞାନ କେନ୍ଦ୍ର, ଟୁକୁର୍ଲା ଠାରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଜିଲ୍ଲାର ଅନ୍ୟାନ୍ୟ ବିଶିଷ୍ଠ ଶିକ୍ଷକମାନେ ମଧ୍ୟ ସମ୍ମାନିତ ହୋଇଥିଲେ । ବରଗଡର ଡିଇଓ ବିଶ୍ୱନାଥ ସାହୁ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମଧୁଛନ୍ଦା ସାହୁ, ଡାଏଟ ପ୍ରିନ୍ସିପାଲ ରଜନୀକାନ୍ତ ଦାଶ, ଓଏଡିଇଓ ବିନୟ କୁମାର ସଏ ଶିକ୍ଷା କ୍ଷେତ୍ରରେ ତାଙ୍କର ସମର୍ପଣ, ନବୀନ ଶିକ୍ଷାଣ ପ୍ରୟୋଗ ଓ ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ପାଇଁ କରିଆସୁଥିବା ଅଦମ୍ୟ ପ୍ରୟାସର ପରିଣତିରେ ବେଣ୍ଟକାରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗବନ୍ଧୁ ବାବୁ ଏହି ସମ୍ମାନ ପାଇବାକୁ ଯୋଗ୍ୟ ହୋଇ ଅତିଥିଙ୍କ ଦ୍ୱାରା ସମ୍ମାନିତ ହୋଇ ପୁରସ୍କାର ପ୍ରାପ୍ତ କରିଥିଲେ । ଶ୍ରୀ ବାବୁଙ୍କ ଏହି ଉଲ୍ଲେଖନୀୟ ସଫଳତାରେ ପଦ୍ମପୁର ବ୍ଲକ ସହିତ ସମଗ୍ର ବରଗଡ ଜିଲାରେ ଖୁସିର ଲହରୀ ଖେଳିଯାଇଛି । ସ୍ଥାନୀୟ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷାପ୍ରେମୀମାନେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।